ଓଡ଼ିଶାରେ ଗୁଜରାଟ ମଡେଲରେ ଲଢିବ ବିଜେପି । ଜାତୀୟ କାର୍ଯ୍ୟକାରିଣୀରେ ମୋଦି ଦେଇଛନ୍ତି ମନ୍ତ୍ର, ଯୁବ ଭୋଟରଙ୍କୁ ଟାର୍ଗେଟ କର । ଜୟନାରାୟଣଙ୍କ ମୁହଁରେ ବିଜେପିର ୨୦୨୪ ରଣନୀତି ।

222

କନକ ବ୍ୟୁରୋ : ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ବଡ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଆସନ୍ତା ୨୦୨୪ରେ ଦୁଇ ତୃତୀୟାଂଶ ଆସନ ସହ ବିଜେପି ଓଡ଼ିଶାରେ ସରକାର ଗଢିବ । ଗୁଜରାଟ ମଡେଲକୁ ଆଧାର କରି ଭୋଟରଙ୍କ ପାଖରେ ପହଞ୍ଚିବ ବିଜେପି । ଆଉ ବିଜେପି ଅଧିକରୁ ଅଧିକ ଆସନ ହାତେଇବା ପାଇଁ ଯୁବବର୍ଗଙ୍କୁ ଫୋକସରେ ରଖିବ । ଏନେଇ ଜାତୀୟ କାର୍ଯ୍ୟକାରିଣୀରେ ରଣନୀତି ପ୍ରସ୍ତୁତ ହୋଇଥିବା କହିଛନ୍ତି ଜୟନାରାୟଣ ମିଶ୍ର ।

ଜୟନାରାୟଣ କହିଛନ୍ତି, ପ୍ରଥମ ଥର ଭୋଟ ଦେଉଥିବା ଭୋଟର ସବୁବେଳେ ଉତ୍ସାହିତ ଥାଆନ୍ତି । ତେଣୁ ସେମାନଙ୍କୁ ନିଜ ସପକ୍ଷକୁ ଆଣିବାକୁ ବିଜେପି ଉଦ୍ୟମ କରିବ । ଯୁବବର୍ଗଙ୍କୁ ନେଇ ଦଳର ଆଭିମୁଖ୍ୟ କଣ ଏବଂ ବିଜେଡି ଓ କଂଗ୍ରେସ ଆଭିମୁଖ୍ୟ କଣ ସେ ବାବଦରେ ଅବଗତ କରିବ । ଏହାପରେ ଯୁବବର୍ଗ ବିଚାର କରିବେ କାହା ସପକ୍ଷରେ ଭୋଟ ଦେବେ । ସେହିଭଳି କୁଶାସନ ଓ ସୁଶାସନର ବାର୍ତ୍ତା ନେଇ ଭୋଟରଙ୍କ ପାଖରେ ବିଜେପି ପହଞ୍ଚିବ । ସବୁ କ୍ଷେତ୍ରରେ କିଭଳି ଓଡ଼ିଶାରେ କୁଶାସନ ବଢିଚାଲିଛି । ବିନା ଟଙ୍କାରେ କିଭଳି ଗୋଟିଏ ବି କାମ ହେଉନାହିଁ, ଭୋଟ ସର୍ବସ୍ୱ ରାଜନୀତି କିଭଳି ସବୁ ବର୍ଗର ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି ସେ ବାର୍ତ୍ତା ଓଡ଼ିଶାର ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବୁ । ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା କିଭଳି ସବୁ କ୍ଷେତ୍ରରେ ତଳ ଆଡୁ ପ୍ରଥମ ହେଉଛି ତାହାର ସତ୍ୟତା ସାମ୍ନାକୁ ଆଣିବୁ । ସେହିଭଳି ଗୁଜରାଟ ମଡେଲର ଉଦାହରଣ ଦେଇ ବିଜେପିର ସୁଶାସନର ବାର୍ତ୍ତା ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ରଣନୀତି କରିଥିବା କହିଛନ୍ତି ଜୟନାରାୟଣ ।

ଅନ୍ୟପଟେ ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଢିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଜୟନାରାୟଣ । ଦୁଇ ତୃତୀୟାଂଶ ଆସନ ଶାସନ କ୍ଷମତାରେ ବସିବୁ ବୋଲି ଜୟନାରାୟଣ କହିଛନ୍ତି । ୧୪୭ ଆସନରେ ଲଢେଇ କରିବୁ, ଆଉ ଲୋକଙ୍କ ଆଶୀର୍ବାଦ ହାତେଇବୁ ବୋଲି ଜୟନାରାୟଣ କହିଛନ୍ତି । ତେବେ ଦଳର ଚେହେରା କିଏ ହେବ ତାହାକୁ ନେଇ ସ୍ପଷ୍ଟ କରିନାହାନ୍ତି । ବିଜେପି କୌଣସି ବ୍ୟକ୍ତିବିଶେଷଙ୍କୁ ନେଇ ନୁହେଁ ବରଂ ଟିମକୁ ନେଇ ଆଗକୁ ବଢେ । କେନ୍ଦ୍ରୀୟ ନେତୃତ୍ୱ ଏ ବାବଦରେ ଯାହା ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରିବୁ । ଯେହେତୁ ଏବେ ନିର୍ବାଚନ ଆସିନାହିଁ ତେଣୁ ସେ ବାବଦରେ କୌଣସି ଚର୍ଚ୍ଚା ଆଲୋଚନା ହୋଇନାହିଁ । ବିଜେପି ଶାସିତ ଅନେକ ରାଜ୍ୟରେ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ବଛାଯାଇଛନ୍ତି । ଓଡ଼ିଶାରେ ମଧ୍ୟ ସେହି ଫର୍ମୁଲାକୁ ନେଇ ଏବେ ଆଗକୁ ବଢୁଛି ବିଜେପି । ଆଗକୁ କେନ୍ଦ୍ରୀୟ ନେତୃତ୍ୱ ଏବାବଦରେ କୌଣସି ନିଷ୍ପତ୍ତି ନେଲେ ତାହା ସମସ୍ତେ ଜାଣିବେ ।