ମଉଳିଲା ମେଣ୍ଟ ଚର୍ଚ୍ଚା । ମନମୋହନ କହିଲେ, ସବୁ ଆସନରେ ଏକାକୀ ଲଢିବ ବିଜେପି

614

କନକ ବ୍ୟୁରୋ : ମେଣ୍ଟ ଚର୍ଚ୍ଚା ଭିତରେ ଆସିଲା ବଡ ଖବର । ପୁଣିଥରେ ସୋସିଆଲ ମିଡ଼ିଆ ଏକ୍ସରେ ବଡ ବୟାନ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟରେ ଏଥର ଏକାକୀ ଲଢିବ ବିଜେପି । ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି ଏକାକୀ ଲଢିବ ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ । ଦିଲ୍ଲୀରୁ ଫେରିବା ପରେ ମନମୋହନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏଭଳି କହିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମନମୋହନ । କେନ୍ଦ୍ରର ମୋଦୀ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ । କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି । ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହ‌ମତ ହୋଇପାରୁନାହୁଁ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ।

ଗତ କିଛି ଦିନ ପୂର୍ବରୁ ମଧ୍ୟ ଓଡ଼ିଶାରେ ବିଜେପି ଏକାକୀ ଲଢିବ ବୋଲି କହିଥିଲେ ମନମୋହନ । କିନ୍ତୁ ଏହାର କିଛି ଘଣ୍ଟା ମଧ୍ୟରେ ନିଜ ବୟାନ ବଦଳାଇବା ସହ ମେଣ୍ଟ ନେଇ କେନ୍ଦ୍ର ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି ଗଣମାଧ୍ୟମ ସାମ୍ନାରେ କହିଥିଲେ । ଏପରିକି ବିଜେପିର ବରିଷ୍ଠ ନେତା ଅମିତ ଶାହ ମଧ୍ୟ ମେଣ୍ଟ ନେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତି ନିଷ୍ପତ୍ତି ନେବେ ବୋଲି କହିଥିଲେ । ସେହିଭଳି ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ମେଣ୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ ବଡ ବୟାନ ରଖିଥିଲେ ।