ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କଲା ବିଜେପି । ମହିଳାଙ୍କୁ ନିଯୁକ୍ତି କ୍ଷେତ୍ରରେ ୩୩% ସଂରକ୍ଷଣ ଦେବାକୁ ପ୍ରତିଶ୍ରୁତି ।

137

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଆଜି ବିଜେପି ନିଜର ଘୋଷଣାପତ୍ର ଜାରି କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଓ ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି ହୋଇଛି । ଏଥିର ବିଜେପି ନିଜର ଘୋଷଣାପତ୍ରରେ ମହିଳାମାନଙ୍କୁ ଚାକିରି କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ପ୍ରତିଶ୍ରୁତି ଦେଇଛି । ଏଥିସହ ଆୟୁଷ୍ମାନ ଯୋଜନାରେ ଲାଭ ପଶ୍ଚିମବଙ୍ଗବାସୀ ପାଇବେ ବୋଲି ବିଜେପି ନିଜର ଘୋଷଣା ପତ୍ରରେ ଉଲ୍ଲେଖ କରିଛି ।

ଏହାବାଦ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣାପତ୍ର ଜାରି କରି କହିଛନ୍ତି , ପଶ୍ଚିମବଙ୍ଗକୁ ସୁନାର ବେଙ୍ଗଲ ବନେଇବା  ବିଜେପିର ସ୍ୱପ୍ନ ରହିଛି । ଏଥିପାଇଁ ଏହି ସଂକଳ୍ପ ପତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସ୍ଥାନ ଦିଆଯାଇଛି । ବିଜେପି ସରକାର ଆସିବା ପରେ ସବୁବେଳେ ସଙ୍କଳ୍ପପତ୍ରକୁ ଗୁରୁତ୍ୱ ଦିଆଯାଇ ଆସିଛି । ସଙ୍କଳ୍ପପତ୍ରରେ ହିଁ ବିଜେପି ବିଶ୍ୱାସ ରଖିଥାଏ ବୋଲି ଶାହା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ଏଥର ଆଠଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଅଛି । ସେଠାରେ କ୍ଷମତାସୀନ ତୃଣମୂଳ କଂଗ୍ରେସକୁ ବିଜେପି ଏଥର ଜୋରଦାର ଟକ୍କର ଦେଉଛି । ବିଶେଷକରି ପଶ୍ଚିମବଙ୍ଗରେ ଏଥର ଦିଦି-ମୋଦି ଲଢେଇ ହେବ ବୋଲି କୁହାଯାଉଛି । ଦୀର୍ଘ ୧୦ ବର୍ଷର ମମତା ଶାସନକୁ ହଟେଇ ବିଜେପି ଏଠାରେ ନିଜ ସରକାର ଗଢିବାକୁ ରଣନୀତି ପ୍ରସ୍ତୁତ କରୁଛି ।