କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ କସରତ । ସହଯୋଗୀଙ୍କ ପାଇଁ ବିଜେପି ଟାଣିଲା ଲକ୍ଷ୍ମଣରେଖା ।

2,713

କନକ ବ୍ୟୁରୋ: ସହଯୋଗୀଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଲା ବିଜେପି । ୯ ତାରିଖରେ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତୃତୀୟପାଳି ସରକାରରେ ଟିଡିପି ଏବଂ ଜେଡିୟୁ ଭଳି ସହଯୋଗୀ ଦଳ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ଏପରି ସ୍ଥିତିରେ ଦୁଇ ପ୍ରମୁଖ ଦଳ ବଡ ବଡ ମନ୍ତ୍ରାଳୟ ପାଇଁ ଦାବି କରୁଥିବା କୁହାଯାଉଛି । କିନ୍ତୁ ବିଜେପି ପ୍ରମୁଖ ମନ୍ତ୍ରାଳୟକୁ ନିଜ ପାଖରେ ରଖିବାକୁ ନିଷ୍ପତି ନେଇଥିବା ଜଣାପଡିଛି ।
ବିଜେପି ଏକାକୀ ୨୪୦ ଆସନ ଜିତିଥିବା ବେଳେ ସହଯୋଗୀ ୪୦ଟି ଆସନରେ ବିଜୟୀ ହୋଇଛନ୍ତି । ଯେଉଁଥିରେ ଟିଡିପି ୧୬ଟି ଓ ଜେଡିୟୁ ୧୨ଟି ଆସନ ଜିତିଛି ।

ପ୍ରାଥମିକ ଆଲୋଚନା ଆଧାରରେ ସହଯୋଗୀ ଦଳମାନେ ପ୍ରତି ୪ ଜଣ ସାଂସଦଙ୍କ ପାଇଁ ଜଣେ ମନ୍ତ୍ରୀ ଦାବି କରୁଛନ୍ତି । ଏହି ଆଧାରରେ ଟିଡିପି ୪ ଜଣ କ୍ୟାବିନେଟ ପଦ ଚାହୁଁଥିବା ବେଳେ ଜେଡିୟୁ ୩ ଜଣ ମନ୍ତ୍ରୀ ପାଇଁ ଚାପ ପକାଉଛି । ଏହାବ୍ୟତୀତ ଏକନାଥ ସିନ୍ଦେଙ୍କ ଶିବସେନା ୭ଟି ଆସନ ସହ ଏବଂ ଚିରାଗ ପାସୱାନଙ୍କ ଏଲଜେପି ୫ଟି ଲେଖାଏଁ ଆସନ ଜିତିଛନ୍ତି । ପୂର୍ବ ଦୁଇଟି ସରକାରରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ତେଣୁ ସେ ସହଯୋଗୀଙ୍କୁ ଯେଉଁ ମନ୍ତ୍ରଣାଳୟ ଦେଉଥିଲା ସେମାନେ ନେଉଥିଲେ । ଏବେ କିନ୍ତୁ ସ୍ଥିତିରେ ପରିବର୍ତନ ଆସିଥିବାରୁ ସହଯୋଗୀ ପ୍ରମୁଖ ମନ୍ତ୍ରଣାଳୟ ପାଇଁ ମୁଲଚାଲ କରୁଛନ୍ତି । ପ୍ରତିରକ୍ଷା, ଅର୍ଥ, ଗୃହ ଓ ବୈଦେଶିକ ବ୍ୟାପାର, ରେଲୱେ ବ୍ୟତୀତ ଭିତ୍ତିଭୂମି ବିକାଶ, କଲ୍ୟାଣ, ଯୁବ ବ୍ୟାପାର ଏବଂ କୃଷି ମନ୍ତ୍ରଣାଳୟକୁ ମଧ୍ୟ ବିଜେପି ନିଜ ପାଖରେ ରଖିବାକୁ ଚାହୁଁଛି ।

ଗରିବ, ମହିଳା, ଯୁବକ ଓ କୃଷକ ଙ୍କ ଭଳି ୪ଟି ପ୍ରମୁଖ ବର୍ଗଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରିବାକୁ ଏହି ବିଭାଗଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ । ତେବେ ସହଯୋଗୀଙ୍କୁ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ଏବଂ ଇସ୍ପାତ ଭଳି ବିଭାଗ ଟିଡିପିକୁ ଦିଆଯାଇପାରେ । ଭାରୀ ଶିଳ୍ପର ଦାୟିତ୍ୱ ଶିବସେନାକୁ ଦିଆଯାଇପାରେ । ଅର୍ଥ ଓ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ ଏନଡିଏର ସହଯୋଗୀ ମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇପାରେ ବୋଲି ଜଣାପଡିଛି । ପର୍ଯ୍ୟଟନ, ଏମଏସଏମଇ, ଦକ୍ଷତା ବିକାଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପୃଥିବୀ ବିଜ୍ଞାନ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ଭଳି ଅନ୍ୟ ମନ୍ତ୍ରଣାଳୟକୁ ସହଯୋଗୀ ରାଷ୍ଟ୍ରମାନଙ୍କୁ ହସ୍ତାନ୍ତର କରାଯିବାର ସମ୍ଭାବନା ରହିଛି ।