କନକ ବ୍ୟୁରୋ : ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଜିଲ୍ଲା କମିଟିରୁ ବହିଷ୍କାର କଲା ଜିଲ୍ଲା ବିଜେପି । ବିଜୟଙ୍କୁ ବହିଷ୍କାର କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ସଭାପତି । ସବୁଠାରୁ ବଡକଥା ହେଉଛି ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି ବିଜୟ ମହାପାତ୍ର । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର କେବଳ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କର ରହିଛି । ହେଲେ ବିଜୟଙ୍କୁ ଜଣେ ଜିଲ୍ଲା ସଭାପତି ବହିଷ୍କାର କରି ପରୋକ୍ଷରେ ମୁହଁରେ ଲଗାମ ଲଗାଇବାକୁ ଚେତାବନୀ ଦେଇଛି ବିଜେପି । ଆଉ କ୍ଷୋଭଭରା କଂଠରେ ବିଜୟ କହିଛନ୍ତି, ତାଙ୍କୁ ବହିଷ୍କାର କରି ଯଦି ଦଳର ଭଲ ହୁଏ ତାହେଲେ ସେ ଏହାକୁ ସ୍ୱାଗତ କରିବେ ।

Advertisment

bijayବିଜେପି ଦେଲା ବିଜୟଙ୍କୁ ଝଟକା । ନେତାଙ୍କ ପାଇଁ ସମର୍ଥକଙ୍କ ସଂଘର୍ଷ ବିଜୟ ମହାପାତ୍ରଙ୍କୁ ମହଙ୍ଗା ପଡିଛି । ଗୁରୁବାର ବ୍ଲକରେ ବିଜେପି ମିଶ୍ରଣ ପର୍ବରେ ବିଜୟଙ୍କ ସମର୍ଥକମାନେ ଗଣ୍ଡଗୋଳ କରିଥିଲେ । ମିଶ୍ରଣ ପର୍ବକୁ ବିଜୟ ମହାପାତ୍ରଙ୍କୁ ଡକାଯାଇନଥିବାକୁ ତାଙ୍କ ସମର୍ଥକ ଓ ଦଳର ଆଉ ଏକ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଯାହାର ଫଳସ୍ୱରୂପ ଜିଲ୍ଲାର ପଦାଧିକାରୀ ଓ ପ୍ରମୁଖ କାର୍ଯ୍ୟକର୍ତାଙ୍କ ଜରୁରୀ ବୈଠକରେ ବିଜୟଙ୍କୁ ଜିଲ୍ଲା ବିଜେପି କାର୍ଯ୍ୟ ସମିତିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଏଥିସହ ବିଜୟ ମହାପାତ୍ର ଓ ତାଙ୍କର କିଛି ସମର୍ଥକଙ୍କୁ ବିଜେପିରୁ ବହିଷ୍କାର ପାଇଁ ଜିଲ୍ଲା କମିଟି ସୁପାରିଶ କରିଛି ।

ସମର୍ଥକଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ବିଜୟଙ୍କ ପକ୍ଷ ଛେଦନ କରିଛି କେନ୍ଦ୍ରାପଡା ଜିଲ୍ଲା କମିଟି । ହେଲେ ଏଭଳି କାର୍ଯ୍ୟାନୁଷ୍ଠାନ ପଛରେ ବିଜୟଙ୍କୁ ଦଳ ଏକ କଡା ମେସେଜ ଦେଇଥିବା ନେଇ ଚର୍ଚ୍ଚା ହେଉଛି । କାରଣ ଅନେକଥର ଦଳ ବିରୋଧୀ ମନ୍ତବ୍ୟ ରଖି ବିଜେପିକୁ ଅଡୁଆରେ ପକାଇଛନ୍ତି ବିଜୟ ମହାପାତ୍ର । ସେ ମହାନଦୀ ଟ୍ରିବ୍ୟୁନାଲ ଗଠନରେ କେନ୍ଦ୍ରର ଅବହେଳା ପ୍ରସଙ୍ଗ ହେଉ ବା ୨୦୧୯ରେ ବିଜେପି ୧୨୦ ଆସନ ଜିତିବ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଆକଳନ ଉପରେ ପ୍ରଶ୍ନ ଉଠାଇ ହେଉ । ବାରମ୍ବାର ରାଜ୍ୟ ବିଜେପି ନେତାଙ୍କଠାରୁ ଭିନ୍ନ ମତ ପୋଷଣ କରି ଦଳକୁ କାଠଗଡାରେ ଛିଡା କରାଇଛନ୍ତି ।

ରାଜ୍ୟ ରାଜନୀତିର ଜଣେ ପ୍ରବୀଣ ନେତା ବିଜୟ ମହାପାତ୍ର । ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ନେଇଥିବା ଏହି ଅଭିଜ୍ଞ ରାଜନେତା ୨୦୦୯ରୁ ବିଜେପିରେ ଅଛନ୍ତି । ଆଉ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ଜଣେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମାତ୍ର ୩ ମାସ ତଳେ କେନ୍ଦ୍ରାପଡା ଜିଲ୍ଲା ସଭାପତି ବନିଥିବା ଦୁର୍ଯ୍ୟୋଧନ ସାହୁ । ଯାହା ବିଜେପି ଓ ବିଜୟଙ୍କ ଭିତରେ ବଢୁଥିବା ଦୂରତାକୁ ଆହୁରି ସ୍ପଷ୍ଟ କରିଛି ।