ମଣ୍ଡିରେ ଚାଷୀର ଧାନ ନଉଠିବାରୁ ବଢିଲା ଅସନ୍ତୋଷ : ବିଜେପିର ୨ ଦିନିଆ ଆନ୍ଦୋଳନ, ବିଜେଡ଼ି କହିଲା ଦୋଷ ଲୁଚାଇବାକୁ ପ୍ରତିବାଦ କରୁଛନ୍ତି ବିରୋଧୀ; କେନ୍ଦ୍ର ବଢାଉନି ଧାନ କିଣା ଡ଼େଡ଼ଲାଇନ୍

87

କନକ ବ୍ୟୁରୋ : ସରକାରଙ୍କ ୧୨ ଦିନିଆ ଟୋକନ ଅବଧି ସାରା ରାଜ୍ୟରେ ଚାଷୀଙ୍କ ପାଇଁ ସମସ୍ୟାର କାରଣ ହୋଇଛି । ଟୋକନ ଅବଧି ସରିଯିବାରୁ ମଣ୍ଡିରେ ପଡ଼ି ରହିଛି ଚାଷୀଙ୍କ ଧାନ । ରାଜ୍ୟର ବିଭିନ୍ନ ଭାଗରୁ ଏଭଳି ଉଦବେଗଜନକ ଚିତ୍ର ଆସିବା ପରେ ରାଜନୈତିକ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଛି ବିଜେପି । ଦଳର ଅଭିଯୋଗ ରାଜ୍ୟ ଗତ ଖରିଫରେ ରାଜ୍ୟ ସରକାର କରିଥିବା ଟୋକନ ବ୍ୟବସ୍ଥା ବିଫଳ ହେଲା । ଅନେକ ଚାଷୀଙ୍କୁ ଟୋକନ ମିଳିନାହିଁ । ପଂଜିକୃତ ଚାଷୀଙ୍କୁ ଟୋକନ ଦିଆଯାଉନାହିଁ । କୃଷି ସଂଗଠନ ଗୁଡ଼ିକ ସହିତ ଆଲୋଚନା ପରେ ଜଣାପଡ଼ିଛି ମଣ୍ଡିର ସମୟ ବୃଦ୍ଧି ପାଇଁ ସମସ୍ତେ ଚାହୁଛନ୍ତି ।

ଏହାର ଜବାବ ରଖିଛି ବିଜେଡ଼ି । ମଣ୍ଡି ଅବ୍ୟବସ୍ଥା ପାଇଁ ଶାସକ ଦଳ କେନ୍ଦ୍ରକୁ ଦୋଷ ଠେଲିଛି । ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କହିବା ହେଲା କେନ୍ଦ୍ର ସରକାର ଏହି ୩୦ ତାରିଖ ଯାଏଁ ଧାନ ସଂଗ୍ରହ ପାଇଁ ଡ଼େଡ଼ଲାଇନ୍ ଦେଇଥିଲେ । କେନ୍ଦ୍ର ଏହି ଡ଼େଡଲାଇନ୍ ବୃଦ୍ଧି କରୁନାହିଁ ଏବଂ ରାଜ୍ୟ ପାଖରେ ଡ଼େଡ଼ଲାଇନ୍ ବଢାଇବାର କ୍ଷମତା ନାହିଁ । ତେଣୁ ବିରୋଧି ନିଜ ଦୋଷ ଲୁଚାଇବାକୁ ପ୍ରତିବାଦ କରୁଥିବା କହିଛନ୍ତି ବିଜେଡ଼ି ମୁଖ୍ୟ ସଚେତକ ।