କନକ ବ୍ୟୁରୋ : ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ବିଜେପି । ଚଳିତ ବର୍ଷ ହେବାକୁ ଥିବା ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହୋଇଛି । ବୈଠକରେ ଆସନ୍ତା ୪୦୦ ଦିନ ପାଇଁ ପ୍ରଧାନମନ୍ତ୍ରୀ ଦଳର ନେତାମାନଙ୍କୁ ହୋମୱାର୍କ ଦେଇଛନ୍ତି । ୧୮ ରୁ ୨୫ ବର୍ଷର ଯୁବକମାନଙ୍କ ମଧ୍ୟରେ ପ୍ରଥମ ବା ଦ୍ୱିତୀୟ ଥର ଭୋଟର ଏବଂ ସେମାନଙ୍କୁ ସୁଶାସନ ଏବଂ କୁଶାସନ ମଧ୍ୟରେ ପାର୍ଥକ୍ୟ ବୁଝାଇବାକୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । ଏପରି କରି ବିଜେପି ମୋଦୀ ସରକାରର ସଫଳତା ବୁଝାଇବାକୁ ପ୍ରୟାସ କରିବ । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ଭୋଟରଙ୍କୁ ଯୋଡିବା ପାଇଁ ଦଳର ନେତାଙ୍କ ଉପରେ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି ।

Advertisment

ଅମୃତକାଳକୁ ବିକାଶକାଳ, ଅମୃତକାଳକୁ କର୍ତବ୍ୟକାଳ । ଏହି ନାରା ଦେଇ ବିଜେପି ଏବେ ୨୦୨୪ ସାଧାରଣ ନିର୍ବାଚନ ଲଢିବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ଶୀର୍ଷ ନେତୃତ୍ୱଙ୍କୁ କହିଛନ୍ତି ଯେ ବିଜେପି ଅନେକ ନଆ ସଦସ୍ୟ ସୃଷ୍ଟି କରିଛି । କିନ୍ତୁ ଏହି ପ୍ରାଥମିକ ସଦସ୍ୟମାନଙ୍କୁ ଦଳ ସହ ଯୋଡି ରଖିବା ପାଇଁ କୌଣସି କାର୍ଯ୍ୟକ୍ରମ ଚାଲୁ ନାହିଁ । ତେଣୁ ଆଗାମୀ ଦିନରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ପ୍ରାଥମିକ ବିଜେପି ସଦସ୍ୟଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ । ସେହିପରି ବିଜେପିର ଶୀର୍ଷ ନେତୃତ୍ୱ ମତ ଦେଇଛନ୍ତି ଯେ ଗୁଜୁରାଟ ନିର୍ବାଚନରେ ବିରାଟ ବିଜୟ ପଛରେ ସବୁଠାରୁ ବଡ କାରଣ ହେଉଛି ବିଜେପି ପାଇଁ ଅଣ ପାରମ୍ପାରିକ ଭୋଟ୍, ତେଣୁ ସମଗ୍ର ଦେଶରେ ସମାନ ଫର୍ମୁଲା କାର୍ଯ୍ୟକାରୀ କରାଯିବା ଉଚିତ । ଏହି ଆଧାରରେ ଦଳର ନେତାମାନଙ୍କୁ ଚର୍ଚ୍ଚ, ସ୍କୁଲ, କଲେଜ, ବିଭିନ୍ନ ସମ୍ପ୍ରଦାୟ ଭଳି ସମସ୍ତଙ୍କୁ ନେଇ ସମାବେଶ କରିବାକୁ କୁହାଯାଇଛି । ସେହିପରି ସାମାଜିକ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ବିଶ୍ୱାସ ହାସଲ କରିବାକୁ ଉଦ୍ୟମ କରାଯିବା ଉଚିତ୍ ।

ବିଜେପି ନେତାଙ୍କ କହିବା ଅନୁଯାୟୀ ଦଳ ଏବେ ସାଧାରଣ ନିର୍ବାଚନ ପାଇଁ କେବଳ ରାଜନୈତିକ ନାରା ନୁହେଁ ବରଂ ସାମାଜିକ ଆନ୍ଦୋଳନର ନାରା ଦେଇ ଭୋଟ୍ ବ୍ୟାଙ୍କ ଯୋଡିବାକୁ ପ୍ରୟାସ କରୁଛି ।