ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା ବିଜେପି : ଭି ଶ୍ରୀନିବାସନ କହିଲେ, ମାଣିକେଶ୍ୱରୀଙ୍କ ନାଁ ନେଇ ଅନୁରୋଧ କରୁଛୁ ମନ୍ତ୍ରୀମଣ୍ଡଳରୁ ଓହରି ଯାଆନ୍ତୁ ଦିବ୍ୟଶଙ୍କର

129

କନକ ବ୍ୟୁରୋ : ବିଜେପି ପାର୍ଟି ଅଫିସରେ କେନ୍ଦ୍ରୀୟ ପ୍ରତିନିଧି ଦଳ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମମିତା ହତ୍ୟା ମାମଲାରେ ସରଜମିନ ତଦନ୍ତରୁ କ’ଣ ପାଇଲେ କେନ୍ଦ୍ରୀୟ ପ୍ରତିନିଧି ଦଳ ସେ ନେଇ ସୂଚନା ଦେଇଛନ୍ତି । ଭି ଶ୍ରୀନିବାସନ କହିଛନ୍ତି ଯେ, ମାଣିକେଶ୍ୱରୀଙ୍କ ନାଁ ନେଇ ଅନୁରୋଧ କରୁଛୁ ମନ୍ତ୍ରୀମଣ୍ଡଳରୁ ଓହରି ଯାଆନ୍ତୁ ଦିବ୍ୟଶଙ୍କର । ମନ୍ତ୍ରୀ ଦିବ୍ୟଶଙ୍କର ମନ୍ତ୍ରୀମଣ୍ଡଳରୁ ଓହରିଲେ ଘଟଣାର ନିରପେକ୍ଷ ତଦନ୍ତ ହେବ ।

ଏହାସହ ପୀଡିତା ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ଶୀଘ୍ର ମିଳୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏବଂ ସାକ୍ଷୀଙ୍କ ସୁରକ୍ଷା ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର । ବିଜେପି ବାରମ୍ବାର ମମିତା ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରୁଥିବା ବେଳେ କେନ୍ଦ୍ରୀୟ ଟିମ ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବି ଦୋହରାଇଛି । ଏବଂ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି ପୁରା ବିଶ୍ୱାସ ରହିଥିବା ବିଜେପି କହିଛି । ଘଟଣାର ସରଜମିନ ତଦନ୍ତ ନେଇ ରିପୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦିଆଯିବ ବୋଲି କହିଛି କେନ୍ଦ୍ରୀୟ ଟିମ ।

ସେପଟେ, ବିଭିନ୍ନ ଜିଲ୍ଲାରେ ବିଜେପି ବନ୍ଦ ପାଳନ କରୁଛି । ଏହି କ୍ରମରେ କେନ୍ଦ୍ରାପଡାରେ ବିଜେପି ବନ୍ଦ ପାଳନ କରିଛି । ସକାଳୁ ସକାଳୁ ପିକେଟିଂ କରୁଛନ୍ତି ବିଜେପି କର୍ମୀ । କଟକ ଚାନ୍ଦବାଲି ରାସ୍ତାର ତିନିମୁହାଣୀ ଠାରେ ରାସ୍ତା ଅବରୋଧ କରିଛନ୍ତି କର୍ମୀ । ସେହିପରି ଜଗତସିଂହପୁରେ ବି ବନ୍ଦ ପାଳନ କରୁଛି ବିଜେପି । ମମିତା ମେହେର ହତ୍ୟା ଘଟଣାରେ ଗ୍ୟୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ୧୨ଘଂଟିଆ ବନ୍ଦ ପାଳନ କରୁଛି ଦଳ । ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଂଚଳ ସମେତ ପାରାଦୀପ ଶିଳ୍ପାଂଚଳ ବନ୍ଦ କରାଯାଇଛି ।

ସେପଟେ ବୌଦ୍ଧରେ ବି ୧୨ଘଂଟା ବନ୍ଦ ପାଳନ କରାଯାଇଛି । ଶିକ୍ଷୟତ୍ରୀ ମମିତାଙ୍କୁ ନ୍ୟାୟ ଦେବା ଦାବିରେ ସକାଳ ୬ଟାରୁ ସଂଧ୍ୟା ୬ଟା ସୁଦ୍ଧା ବୈଦ୍ଧ ଜିଲ୍ଲାରେ ବନ୍ଦ ପାଳନ ଡାକରା ଦେଇଛି ବିଜେପି । ଏହି ସମୟରେ ଅତ୍ୟାବଶ୍ୟକ ଜିନିଷକୁ ଛାଡି ଦେଲେ ଆଉ ସବୁ ବନ୍ଦ ରହିବ । ବନ୍ଦ ଡାକରାକୁ ଠିକ୍‌ ଭାବରେ କାର୍ଯ୍ୟକାରୀ କରାଇବା ପାଇଁ ଜିଲ୍ଲାକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ପ୍ରତି ଭାଗର କର୍ମକର୍ତ୍ତା ଓ କର୍ମୀ ନିଜ ଅଞ୍ଚଳରେ ପିକେଟିଂ କରିବେ। ବନ୍ଦ ସମୟ ମଧ୍ୟରେ ଯାନବାହନ ଚଳାଚଳ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ଜରୁରୀକାଳନୀ ସେବା ଓ ପରୀକ୍ଷା ପାଇଁ ଯାଉଥିବା ଛାତ୍ରଛାତ୍ରୀଙ୍କ ଯାତାୟାତରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।