କନକ ବ୍ୟୁରୋ : ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରନ୍ତୁ ସରକାର । ମାହାଙ୍ଗା ଡବଲ ମର୍ଡର ଘଟଣାରେ ୧୩ ନମ୍ବର ମୁଦାଲା ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରିବାକୁ ବାଚସ୍ପତି ତୁରନ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛି ବିରୋଧୀ ବିଜେପି । ଗୃହରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି । ତେବେ ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କ ନାଁରେ ଏତଲା ଦିଆଯାଇଛି । ଏତଲାରେ ୧୩ ନମ୍ବର ମୁଦାଲା ଅଛନ୍ତି ପ୍ରତାପ । ଏପରିକି କୁଳମଣି ବରାଳଙ୍କ ପରିବାରର ପିଟିସନ ଆଧାରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ ଜେଏମଏଫସି କୋର୍ଟ ।
ଏତଲା ଆଧାରରେ ଅନ୍ୟ ସମସ୍ତଙ୍କ ବିରୋଧରେ ତଦନ୍ତ ହୋଇଥିଲେ ମଧ୍ୟ ୧୩ ନମ୍ବର ମୁଦାଲା ଥିବା ପ୍ରତାପ ଜେନାଙ୍କ ସଂପୃକ୍ତି ନେଇ ପୋଲିସ କୌଣସି ତଦନ୍ତ କରିନଥିଲା । ତେଣୁ କୁଳମଣି ବରାଳଙ୍କ ପରିବାର ପକ୍ଷରୁ ମନ୍ତ୍ରୀଙ୍କୁ ତଦନ୍ତପରିସରଭୁକ୍ତ କରିବାକୁ ପିଟିସନ ଦାଖଲ କରାଯାଇଥିଲା । ଆଉ ଏହାର ଶୁଣାଣି କରି ମନ୍ତ୍ରୀଙ୍କ ଉପରେ ତଦନ୍ତ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜେଏମଏଫସି କୋର୍ଟ । ଯେହେତୁ ପ୍ରତାପ ଆଇନ ମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ତେଣୁ ଆଇଆଇସି ଚାପମୁକ୍ତ ହୋଇ ତଦନ୍ତ କରିବେ କିପରି? ତେଣୁ ବିରୋଧୀ ଦଳ ଭାବେ ବିଜେପି ଏହି ପ୍ରସଙ୍ଗ ଗୃହରେ ଉଠାଇଛି ଓ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପଦରୁ ବହିଷ୍କାର କରିବାକୁ ବାରମ୍ବାର ଦାବି କରିଛି ।
ବାଚସ୍ପତି ଏପ୍ରସଙ୍ଗରେ ମନ୍ତ୍ରୀଙ୍କୁ ପଦରୁ ବହିଷ୍କାର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ନଦେଲେ ଗୃହ ଭିତରେ ବିଜେପିର ଏଭଳି ଆଭିମୁଖ୍ୟ ଜାରି ରହିବ ବୋଲି ଚେତାଇ ଦେଇଛନ୍ତି ମୋହନ । ଏହାଛଡା ଅନ୍ୟ ମନ୍ତ୍ରୀଙ୍କ ନାଁରେ ମଧ୍ୟ ସଙ୍ଗୀନ ଅଭିଯୋଗ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଏପ୍ରସଙ୍ଗରେ ସ୍ପଷ୍ଟୀକରଣ ନରଖିଲେ କିମ୍ବା ବହିଷ୍କାର ପାଇଁ ପଦକ୍ଷେପ ନନେଲେ ଗୃହ ଭିତରେ ବିକ୍ଷୋଭ ଜାରି ରହିବ ବୋଲି କହିଛନ୍ତି ମୋହନ । ଗୋଟିଏ ପଟେ ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହ ମୁଲତବି ହୋଇଥିବା ବେଳେ ଗୃହ ବାହାରେ ବିଜେପି ସଦସ୍ୟ ବ୍ୟାନର ଦେଖାଇ ପ୍ରତିବାଦ କରିଛନ୍ତି ।