କନକ ବ୍ୟୁରୋ: ଏସଆଇଟି ତଦନ୍ତ ନିର୍ଦେଶରେ ସନ୍ତୁଷ୍ଟ ନୁହେଁ ବିରୋଧୀ ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ପରୀ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରାଯାଉ । କଂଗ୍ରେସ ଏସଆଇଟି ତଦନ୍ତ ପାଇଁ ଦାବି କରୁଥିଲା । ତେଣୁ ଏସଆଇଟି ତଦନ୍ତରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ।

Advertisment

 ସେପଟେ ପରୀ ମାମଲାର ଏସଆଇଟି ତଦନ୍ତ ଦାବି କରୁଥିଲା କଂଗ୍ରେସ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ନିର୍ଦେଶ ପରେ କଣ ରହିବ କଂଗ୍ରେସର ଆଭିମୁଖ୍ୟ । ଏନେଇ ସର୍ବଦଳୀୟ ବୈଠକ ପରେ ନିଷ୍ପତି କରିବ କଂଗ୍ରେସ । କାରଣ ଏସଆଇଟି ତଦନ୍ତ ସହ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲା କଂଗ୍ରେସ ।

ଏପଟେ, ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ଘୋଷଣା ପରେ ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ବିରୋଧୀ ରାଜନୀତି କରୁଛି । ତାଙ୍କର ଆଲୋଚନାକୁ ଆସିବାକୁ ଇଛା ନାହିଁ । ଆଜି ଗୃହ ବିଭାଗର ଅତିରିକ୍ତ ବଜେଟ ଉପରେ ଆଲୋଚନା ହେବାର ଥିଲା । ଏହି ସମୟରେ ବିରୋଧୀ ଅନେକ କଥା ଉଠାଇପାରିଥାଆନ୍ତେ । କିନ୍ତୁ ବିରୋଧି ଗୃହକୁ ବନ୍ଦ କରୁଛନ୍ତି ।

ତେବେ ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ହେବ । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନଫରେନସିଂରେ ଗୃହ କାର୍ଯ୍ୟରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପରୀ ମୃତ୍ୟୁ ଘଟଣାରେ ସେ ମର୍ମାହତ । ଏବଂ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ଉପରେ ତାଙ୍କ ସରକାର ବିଶ୍ୱାସ କରେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀଙ୍କୁ ନିବେଦନ କରିଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦେଶ ସହ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ବିରୋଧୀ ହଙ୍ଗାମା କରିଥିଲେ ।