କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା ବିଜେପି । ସେପଟେ ସୁପ୍ରିମକୋର୍ଟରେ ପହଞ୍ଚିଲେ ଆଉ ୬ ବିଧାୟକ ।

175

କନକ ବ୍ୟୁରୋ : କର୍ଣ୍ଣାଟକରେ ଜାରି ରହିଥିବା ନାଟକ ନୂଆ ମୋଡ ନେଇଛି । ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ଭାରତୀୟ ଜନତା ପାର୍ଟି । ଏହା ସହ କୁମାରସ୍ୱାମୀ ବିଧାନସଭାରେ ବହୁମତ ସାବ୍ୟସ୍ତ କରନ୍ତୁ ବୋଲି ମଧ୍ୟ ବିଜେପି ଦାବି କରିଛି । ଆଉ ଏହି ପ୍ରସ୍ତାବ ଉପରେ ଆଜି ବାଚସ୍ପତି ରମେଶ କୁମାର ନିଷ୍ପତି ନେଇପାରନ୍ତି । କେବଳ ଏତିକି ନୁହେଁ, ଯହି କୁମାରସ୍ୱାମୀ ବିଧାନସଭାରେ ବହୁମତ ସାବ୍ୟସ୍ତ ନକରନ୍ତି ତେବେ ଗୃହ କାର୍ଯ୍ୟରେ ବିଜେପି ବିଧାୟକ ବାଧା ସୃଷ୍ଟି କରିବେ ବୋଲି କହିଛନ୍ତି ।

ଅନ୍ୟପଟେ କୁହାଯାଉଛି, କର୍ଣ୍ଣଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ସହ ମଲ୍ଲିକାର୍ଜୁନ ଖଡଗେ ଏବଂ ଗୁଲାମ ନବୀ ଆଜାଦଙ୍କ ଭଳି ବରିଷ୍ଠ ନେତା ଆଜି ବାଗୀ ବିଧାୟକ ମାନଙ୍କୁ ହୋଟେଲରେ ସାକ୍ଷାତ କରିବାର ସମ୍ଭାବନା ରହିଛି । ସେପଟେ ୮ ଜଣ ବିଧାୟକ, ବାଚସ୍ପତି ତାଙ୍କ ଇସ୍ତଫା ଗ୍ରହଣ କରୁନଥିବା ଦର୍ଶାଇ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି । ଆସନ୍ତାକାଲି ଏହି ମାମଲାର ଶୁଣାଣୀ ହେବାର ସମ୍ଭାବନା ରହିଛି ।

ବିଦ୍ରୋହୀ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳର ବିଧାୟକ ନରମ ଆଭିମୁଖ୍ୟ ପାଇଁ ରାଜି ନଥିବାବେଳେ ବିରୋଧୀ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରିଛନ୍ତି । ଦଳୀୟ ନେତୃତ୍ୱ ସହ କଥାହେବା ଲାଗି କଂଗ୍ରେସର ବିଦ୍ରୋହୀ ବିଧାୟକ ମନା କରିଦେଇଛନ୍ତି । ବିଜେପି ନେତା ୟେଦୁୟରପ୍ପା କହିଛନ୍ତି, ସରକାରଙ୍କ ପାଖରେ ବହୁମତ ନଥିବାରୁ କୁମାରସ୍ୱାମୀ ଇସ୍ତଫା ଦେଇଦେବା ଦରକାର । ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଓ କଂଗ୍ରେସ ନେତା ଡି.ଶିବକୁମାର କର୍ଣ୍ଣାଟକ ବାଚସ୍ପତିଙ୍କୁ ଭେଟିଛନ୍ତି । କଂଗ୍ରେସ-ଜେଡିଏସ ମେଂଟରୁ ୧୪ ବିଦ୍ରୋହୀ ବିଧାୟକ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି ।