ଆଇନ ମନ୍ତ୍ରୀଙ୍କ ଆଖି ଆଗରେ ଆଇନର ଉଡୁଛି ଧଜିଆ । ନିରପେକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି, ସିଇଓଙ୍କୁ ଭେଟି ଜଣାଇଲା ଅଭିଯୋଗ ।

273

କନକ ବ୍ୟୁରୋ : ବିଜେଡି ନାଁରେ ସାଂଘାତିକ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି ବିଜେପି । ମୁଖ୍ୟ ନିର୍ବାଚନ କମିଶନଙ୍କୁ ବିଜେପିର ଟିମ୍ ଭେଟିବା ପରେ ଦଳର ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, ବାରମ୍ବାର ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଆସୁଛୁ । ସରକାରୀ ଦଳ ମୁକ୍ତ ଓ ଅବାଧ ନିର୍ବାଚନରେ ବ୍ୟାଘାତ ସୃଷ୍ଟି କରୁଛି । ଡେମୋକ୍ରଟିକ ସରକାରକୁ ବ୍ୟୁରୋକ୍ରାଟିକ କରିସାରିଲାଣି ସରକାରୀ ଦଳ । ବିଜେଡି ସରକାରରେ ଏହା ଦେଖିବାକୁ ମିଳୁଛି ।

ସରକାରୀ କର୍ମଚାରୀ ଓ ପୋଲିସ ଅଧିକାରୀଙ୍କ ନାଁରେ ଅଭିଯୋଗ ଆସିବା କ୍ଷଣି ଚିହିଁକି ଉଠୁଛି ବିଜେଡି । କିଛି କତିପେୟ ଅଧିକାରୀ ଥାର୍ଡ ଫ୍ଲୋରର ନିର୍ଦ୍ଦେଶରେ ବେଆଇନ କାର୍ଯ୍ୟ କରୁଛନ୍ତି । ବିଜେଡି ନାଁରେ ୨ଟି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛି ବିଜେପି । ଆଇନ ମନ୍ତ୍ରୀ ଜଗନ୍ନାଥ ସରକା ବିଷମ କଟକର ମୁନିଗୁଡାରେ ନିର୍ବାଚନ ପ୍ରଚାର୍ ପାଇଁ ଯାଇଥିବା ସମୟରେ ସଧାରଣ ଭୋଟର ମାନେ ତାଙ୍କୁ ଜଳ ସମସ୍ୟାକୁ ନେଇ ପ୍ରଶ୍ନ କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା କିଛି ଅସାଧୁ ବ୍ୟକ୍ତି ସଧାରଣ ଲୋକଙ୍କୁ ବିରୋଧ କରିବା ସହ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ ଓ ଏହାକୁ ମନ୍ତ୍ରୀ ନିରବ ଭାବେ ଦେଖିବା ସହ ହସି କରି ଉଡେଇ ଦେଇଥିଲେ । ସେ ଦୁଇ ଜଣ ବ୍ୟକ୍ତି ହେଉଛନ୍ତି ହରେକୃଷ୍ଣ ବେହେରା, ହରେନ୍ଦ୍ର ଗୌଡ଼ । ଏହି ଘଟଣାକୁ ୫ ଦିନ ହେଲାନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆଇନ ମନ୍ତ୍ରୀଙ୍କ ଆଖି ସାମ୍ନାରେ ଆଇନର ଧଜିଆ ଉଡିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ମନ୍ତ୍ରୀ ଓ ବିରୋଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।

ପୂର୍ବରୁ ବ୍ରହ୍ମପୁର ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ କହିଥିଲେ ଯେ, ବ୍ରହ୍ମପୁରରେ କିଛି ପୋଲିସ ସରକାରୀ ଦଳ ସହ ମିଶି କାର୍ଯ୍ୟ କରୁଛନ୍ତି । ଏହାର ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି । ବିଜେଡି ପ୍ରାର୍ଥୀଙ୍କ ସହ ହାବିଲଦାର ସଙ୍ଘର ମୁଷ୍ଟିମେୟ କର୍ମକର୍ତ୍ତା ନବୀନ ବାବୁ ଆମେ ତମ ଫ୍ୟାନ ଗୀତରେ ବୁଲି ବୁଲି ନାଚୁଛନ୍ତି । ଏପ୍ରକାର ପୋଲିସ କର୍ମଚାରୀ କିଭଳି ନିରପେକ୍ଷତା ଅବଲମ୍ବନ କରିବେ ବୋଲି ପ୍ରଶ୍ନ କରିବା ସହ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ ।