ସଂଖ୍ୟା କମୁଛି, ସମସ୍ୟା ବଢୁଛି । ୨ବର୍ଷରେ ବିଜେପି ହାତରୁ ଗଲାଣି ୬ଟି ରାଜ୍ୟ, ଶାହାଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ।

302

କନକ ବ୍ୟୁରୋ : ଘଟଣାକ୍ରମେ ବଦଳି ଯାଇଛି ବିଜେପିର ସ୍ୱରୁପ । ୨୦୧୭ରୁ ୨୦୨୦ ପ୍ରାୟ ଦୁଇ ବର୍ଷ ଭିତରେ ବିଜେପି ହାତରୁ ଖସି ଯାଇଛି ୬ଟି ରାଜ୍ୟ । ଭୋଟ୍ ପ୍ରତିଶତ ବି କମୁଛି । ଏଭଳି ସ୍ଥିତିର ମୁକାବିଲା କରିବା ଏବେ ବିଜେପିର ନମ୍ବର ଟୁ ନେତା ଅମିତ ଶାହାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।

ନମ୍ବର-ଟୁ ନେତାଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ । ୨ବର୍ଷରେ ବିଜେପି ହାତରୁ ଗଲାଣି ୬ଟି ରାଜ୍ୟ । ଦେଶର କ୍ଷମତା କେନ୍ଦ୍ର ଭାବେ ପରିଚିତ ଦିଲ୍ଲୀରେ ଅତି ଶୋଚନୀୟ ଭାବରେ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛି ଭାରତୀୟ ଜନତା ପାର୍ଟି । ସଂଖ୍ୟାଧିକ କେନ୍ଦ୍ରମନ୍ତ୍ରୀ ଏବଂ ଶତାଧିକ ସାଂସଦଙ୍କ ପ୍ରଚାର ଭିତରେ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟିଠାରୁ ପରାସ୍ତ ହୋଇଛି ବିଜେପି ।

୨୦୧୭ ଡିସେମ୍ବରରୁ ଫେବୃୟାରୀ ୨୦୨୦ । ପ୍ରାୟ ଦୁଇବର୍ଷରେ ବିଜେପି ହାତରୁ ଖସିଗଲାଣି ୬ଟି ରାଜ୍ୟ । ଦିଲ୍ଲୀ ସମେତ ୧୨ଟି ରାଜ୍ୟରେ ଏବେ ଅଣ-ବିଜେପି ଏବଂ ଅଣ ଏନଡିଏ ଦଳ କ୍ଷମତାରେ ଥିବାବେଳେ ବିଜେପି ତଥା ଏନଡିଏ କବଜାରେ ରହିଛି ୧୬ଟି ରାଜ୍ୟ । ଦେଶର ସମଗ୍ର ଭୋଟ୍ ପ୍ରତିଶତର କେବଳ ୪୨% ଏବେ ବିଜେପି ହାତରେ ରହିଛି ।

କମୁଛି ସଂଖ୍ୟା, ବଢୁଛି ସମସ୍ୟା । ଶାହାଙ୍କ ପାଇଁ ବଡ଼ ସଂକଟ । ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ପଂଜାବ, ପଣ୍ଡିଚେରୀ ଏବଂ ଝାଡ଼ଖଣ୍ଡରେ କଂଗ୍ରେସ କିମ୍ବା ୟୁପିଏ ମେଂଟ ସହଯୋଗୀ ଦଳ କ୍ଷମତାରେ ରହିଛି । ଏପଟେ ଦିଲ୍ଲୀରେ ତୃତୀୟ ଥର ପାଇଁ ଆପ୍ କ୍ଷମତାକୁ ଫେରିଥିବା ବେଳେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, କେରଳରେ ବାମଦଳ ମେଂଟ, ଆନ୍ଧ୍ର ପ୍ରଦେଶରେ ୱାଇଏସଆର୍ କଂଗ୍ରେସ୍, ଓଡ଼ିଶାରେ ବିଜେଡି, ତେଲେଙ୍ଗାନାରେ ଟିଆରଏସ୍ କ୍ଷମତାରେ ରହିଛି । ଆଉ ତାମିଲନାଡୁରେ ଏଆଇଡିଏମକେ ସହ ମେଂଟ କରି ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାମିଲନାଡୁରେ ବିଜେପିର ଗୋଟିଏ ହେଲେ ବିଧାୟକ ନାହାନ୍ତି ।

ମନେ ପକାନ୍ତୁ ୨୦୧୭ ଡିସେମ୍ବର କଥା । ଦେଶର ସିଂଘଭାଗରେ ଶାସନ କରୁଥିଲା ବିଜେପି । ବିଜେପି ଏବଂ ବିଜେପି ସହଯୋଗୀ ଦଳ ଦେଶର ୧୯ଟି ରାଜ୍ୟରେ ଶାସନ କରୁଥିଲେ । ହେଲେ ମାତ୍ର ଗୋଟିଏ ବର୍ଷ ପରେ କଂଗ୍ରେସ ହାତକୁ ଚାଲିଯାଇଥିଲା, ମହାରାଷ୍ଟ୍ର, ରାଜସ୍ଥାନ ଓ ଛତିଶଗଡ଼ । ଆଉ ଏହା ପରଠୁ ଯେମିତି ବିଜେପିକୁ ବଡ଼ ଆହ୍ୱାନର ସାମ୍ନା କରିବାକୁ ପଡୁଛି ।