ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ଦେଖନ୍ତୁ, କିଏ କିଏ ଅଛନ୍ତି ଲିଷ୍ଟରେ…

2,189

କନକ ବ୍ୟୁରୋ: ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାଙ୍କ ଘୋଷଣା କରିଛି ବିଜେପି । ମଙ୍ଗଳବାର ବିଜେପି ପକ୍ଷରୁ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଥିବାବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କ ସହିତ ଅନ୍ୟ ନେତାମାନଙ୍କୁ ସାମିଲ କରାଯାଇଛି । ଏହି ନେତାମାନେ ପିପିଲି ଉପ-ନିର୍ବାଚନରେ ଜନତାଙ୍କ ଭୋଟ୍ ହାତେଇବା ପାଇଁ କ୍ୟାମ୍ପେନିଂ କରିବେ ଏବଂ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ।

ଏହି ୨୦ ଜଣିଆ ଲିଷ୍ଟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିିଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ , ବୈଜୟନ୍ତ ପଣ୍ଡା, ଡି. ପୁରନ୍ଦେଶ୍ୱରୀ, ବିଜୟ ପାଲ ସିଂହ ତୋମାର, ଜୁଏଲ ଓରାମ ପ୍ରମୁଖ ରହିଛନ୍ତି । ତାଙ୍କ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ମନମୋହନ ସାମଲ, କେଭି ସିଂହ ଦେଓ, ସୁରମା ପାଢୀ, ସମ୍ବିତ ପାତ୍ର, ଅପରାଜିତା ଷଡଙ୍ଗୀ, ମୋହନ ଚରଣ ମାଝୀ, ପ୍ରତିଭା ପରିଡା, ମାନସ କୁମାର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହର ବିଜେପିର ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ ହୋଇଛନ୍ତି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟ ବିଜେପିର ଟାଣୁଆ ନେତା ବିଜୟ ମହାପାତ୍ରଙ୍କୁ ଦଳ ପିପିଲି ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଭାବେ ଘୋଷଣା କରିନାହିଁ । ଯାହାକୁ ନେଇ ଏବେ ରାଜନୀତି କରିଡରରେ ଚର୍ଚ୍ଚା ଜୋର ଧରିଛି । ତେବେ ପିପିଲି ପାଇଁ ବିଜେପିର ପ୍ରଚାର ଅଭିଯାନରେ ମୁଖ୍ୟ ଚେହେରା ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିିଁ ଆଗରେ ରହିବେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ଭୋଟ୍ ପଡିବ । ଅକ୍ଟୋବର ୩ ତାରିଖରେ ଭୋଟ୍ ଗଣତି ହେବ ।