କିଏ ହେବ ହାତ-ଶଙ୍ଖର ସିପାହୀ ? ବାଲେଶ୍ୱର, ତିର୍ତ୍ତୋଲ ମୈଦାନକୁ ବିଜେପି ଯୋଦ୍ଧା ଛାଡିବା ପରେ ଚେକ୍ ଦେବାକୁ କାହାକୁ ବାଛିବେ ବିଜେଡି, କଂଗ୍ରେସ ?

590

କନକ ବ୍ୟୁରୋ: ଉପନିର୍ବାଚନ ପାଇଁ ଓଡିଶାରେ ଉଷୁମ ହେଉଛି ପାଣିପାଗ । ଦୁଇଟି ଆସନ ବାଲେଶ୍ୱର ସଦର ଓ ତିର୍ତୋଲ ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ତିର୍ତୋଲ ଉପନିର୍ବାଚନ ପାଇଁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛିି ବିଜେପି । ସେହିପରି ବାଲେଶ୍ୱର ସଦରରୁ ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନଓ ଦତ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି । ମାନସଙ୍କ ନାଁରେ ମୋହର ମରାଯାଇଥିବା ଆଜି ଘୋଷଣା କରିଛି ।

ତେବେ ତିର୍ତୋଲର ବିଜେପି ପ୍ରାର୍ଥୀ ରାଜକିଶୋର ନିକଟରେ ହାତ ଛାଡି ପଦ୍ମ ଧରିଛନ୍ତି । ୨୦୦୯, ୨୦୧୪ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ତେବେ ୨୦୧୯ ନିର୍ବାଚନରେ ତାଙ୍କୁ ଟିକଟ ମିଳିନଥିଲା । ନିକଟରେ ସେ କଂଗ୍ରେସ ଛାଡି ବିଜେପିରେ ମିଶିଛନ୍ତି । ରାଜକିଶୋର ବିଜେପିରେ ମିଶିବା ପରେ ତିର୍ତୋଲ ଅଂଚଳର ବହୁ ବିଜେପି ନେତା ଓ କର୍ମୀ ବିଜେଡିରେ ମିଶିଛନ୍ତି ।

ସେପଟେ ଦୁଇ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ସମସ୍ତଙ୍କ ନଜର ରହିଛି ବିଜେଡି ଓ କଂଗ୍ରେସ ଉପରେ । ଦୁଇ ବ୍ୟାଟଲ ଗ୍ରାଉଣ୍ଡରେ ବିଜେପି ପ୍ରାର୍ଥୀଙ୍କ ସହ ଲଢେଇ କରିବାକୁ ହାତ, ଶଙ୍ଖ କେଉଁ ସିପାହୀକୁ ସାମ୍ନାକୁ ଆଣୁଛନ୍ତି ତା ଉପରେ ସାରା ଓଡିଶାର ଆଖି ରହିଛି ।

ଚର୍ଚ୍ଚା ହେଉଛି ବାଲେଶ୍ୱର ସଦରରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସମାଜସେବୀ ସୁବାସିନୀ ଜେନାଙ୍କୁ ମିଳିପାରେ ଟିକେଟ । କାରଣ ସୁବାସିନୀଙ୍କୁ ନେଇ ବିଭିନ୍ନ ପଞ୍ଚାୟତକର୍ମୀଙ୍କ ସହ ଘନ ଘନ ବୈଠକ କରାଯାଉଥିବା ସୂଚନା ମିଳିଛି । ଅନ୍ୟପଟେ ଜୀବନପ୍ରଦୀପ ଦାସ ଗଣମାଧ୍ୟମକୁ ସିଧାସିଧା କହିଥିଲେ କି ପରାଜିତ ନେତାଙ୍କୁ ଦଳ ଟିକେଟ ଦେଉନି । କିଛି ଦିନ ତଳେ ରବୀନ୍ଦ୍ର ଜେନା ପ୍ରାର୍ଥୀ ହେବା କଥାକୁ ଖଣ୍ଡନ କରିଥିଲେ । ତେଣୁ ସୁବାସିନୀଙ୍କୁ ଦଳ ଟିକେଟ ଦେଇପାରେ ବୋଲି ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି । କଂଗ୍ରେସ କଥା ଯଦି କୁହାଯାଏ ତେବେ ସମାଜସେବୀ ମମତା କୁଣ୍ଡଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ତାରାବାହିନୀ ପତିଙ୍କ ସୂଚନା ଅନୁସାରେ କଂଗ୍ରେସର ପ୍ରାର୍ଥୀ ବାଲେଶ୍ୱର ପାଇଁ ଚୂଡାନ୍ତ ହୋଇଛି । ଖୁବଶୀଘ୍ର ଘୋଷଣା ହୋଇପାରେ । ତେବେ କିଏ ହେବ ବାଲେଶ୍ୱର, ତିର୍ତ୍ତୋଲରୁ ହାତ ଶଙ୍ଖର ସିପାହୀ ତା ଉପରେ ନଜର ।

ସେପଟେ ତିର୍ତ୍ତୋଲରେ ବିଜେପି ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିବା ପରେ ଲୋକଙ୍କ ନଜର ଅଟକିଛି ବିଜେଡି, କଂଗ୍ରେସ ଉପରେ । ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ତାଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ନାଁ ଚର୍ଚ୍ଚା ହେଉଛି । ସେହିପରି ପୂର୍ବତନ ସାଂସଦ କୂଳମଣି ସାମଲ, ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା, ଯୁଧିଷ୍ଠୀର ସେଠୀଙ୍କ ନାମ ଚର୍ଚ୍ଚା ଜୋର ଧରିଛି । ତେବେ ଦଳ କାହା ନାଁରେ ମୋହର ମାରୁଛି ତା ଉପରେ ନଜର ।
କଂଗ୍ରେସରୁ ରାଜନୀତିର ନୂଆ ଚେହେରା ହିମାଂସୁ ଭୂଷଣ ମଲ୍ଲିକଙ୍କ ନାଁ ବି ସାମ୍ନାକୁ ଆସୁଛି । ୨୦୧୯ରେ ବିଧାୟକ ପ୍ରାର୍ଥୀ ହୋଇଥିବା ଦେବୀ ପ୍ରସାଦ ମଲ୍ଲିକ ଓ ସାଂସଦ ପ୍ରାର୍ଥୀ ହୋଇଥିବା ପ୍ରତିମା ମଲ୍ଲିକଙ୍କ ନାଁ ତିର୍ତ୍ତୋଲ ରାଜନ÷÷ତିକ ଆକାଶରେ ଭାସିବୁଲୁଛି । ସେପଟେ ବିଜେପି ଛାଡିଥିବା ରମାକାନ୍ତ ଭୋଇ ଖୁବଶୀଘ୍ର ବିଜେଡି ଆସିପାରନ୍ତି ବୋଲି ସୂଚନା ମିଳିଛି ।