କନକ ବ୍ୟୁରୋ : ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେଡିରୁ ଇସ୍ତଫା ଦେଇଥିବା ସନ୍ତୋଷ ଖଟୁଆଙ୍କୁ ନୀଳଗିରି ଆସନରୁ ଦଳ ମୈଦାନକୁ ଓହ୍ଲାଇଛି । ସନ୍ତୋଷଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ରୋଚକ ହୋଇଛି ନୀଳଗିରି ଲଢେଇ । ଗତଥର ବିଜେଡି ଟିକେଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ସନ୍ତୋଷ । କିନ୍ତୁ ସଙ୍ଗଠନ ସହ ଜଡିତ ଥିବାରୁ ପୁଣିଥରେ ଟିକେଟ ପାଇଁ ଆଶାବାଦୀ ଥିଲେ । ତେବେ ଗତକାଲି ବିଜେଡି ଏଠାରେ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ସନ୍ତୋଷଙ୍କ କର୍ମୀ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ସୁକାନ୍ତଙ୍କୁ ପ୍ରାର୍ଥୀ ଘୋଷଣାର କିଛି ସମୟ ମଧ୍ୟରୁ ଦଳରୁ ଇସ୍ତଫା ଦେଇଥିଲେ ସନ୍ତୋଷ ।

ଅନ୍ୟପଟେ ନୀଳଗିରିରେ ବିଜେଡି ପ୍ରାର୍ଥୀ ହୋଇଥିବା ସୁକାନ୍ତ ନାୟକ ୨୦୧୯ରେ ବିଜେପି ଟିକେଟରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ । କିନ୍ତୁ ଗତ କିଛି ଦିନ ପୂର୍ବରୁ ବିଜେଡିରେ ଯୋଗ ଦେଇ ଟିକେଟ ରେସରେ ସାମିଲ ହୋଇଥିଲେ ସୁକାନ୍ତ । ତେବେ ସୁକାନ୍ତଙ୍କ ବିଜେଡିରେ ଯୋଗଦାନକୁ ବିରୋଧ କରି ଆସୁଥିଲେ ସନ୍ତୋଷଙ୍କ ଗୋଷ୍ଠୀ । ଯାହାକୁ ନେଇ ନୀଳଗିରିରେ ଟିକେଟ ଘୋଷଣା ବିଳମ୍ବିତ ହୋଇଥିଲା । ସୁକାନ୍ତ ନାୟକ ବିଜେପି ଟିକେଟରେ ବିଧାୟକ ହେବା ପୂର୍ବରୁ ୨୦୧୪ରୁ ୨୦୧୯ ବିଜେଡି ଟିକେଟରେ ନୀଳଗିରିରେ ବାଜିମାତ କରିଥିଲେ । କିନ୍ତୁ ଗତ ନିର୍ବାଚନରେ ଟିକେଟ ନ ମିଳିବା ଜାଣିବା ପରେ ଦଳ ଛାଡି ବିଜେପିରୁ ଲଢି ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି । ବିଜେଡି ଟିକେଟ ନ ପାଇବା କାରଣରୁ ଦଳ ଛାଡିଥିବା ସନ୍ତୋଷଙ୍କୁ ନୀଳଗିରିରେ ପ୍ରାର୍ଥୀ କରିଛି ବିଜେପି । ଯାହା ଚଳିତଥର ନୀଳଗିରି ଲଢେଇକୁ ରୋଚକ କରିବ ।