ମାନିଗଲେ ନାରାୟଣ ! ଥମିଗଲା ବିଜେପୁର ବିଜେପି ଅଡୁଆ

64

କନକ ବ୍ୟୁରୋ : ଅଶୋକ ପାଣିଗ୍ରାହୀଙ୍କୁ ନେଇ ବିଜେଡିରେ କୁହୁଳିଥିବା ନିଆଁ ପ୍ରଶମିତ ହୋଇଛି । ବିଜେପିର ରାଜ୍ୟ ନେତୃବୃନ୍ଦ ଏହି ନିଆଁକୁ ପ୍ରଶମିତ କରିଛନ୍ତି । ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବରଗଡ ବିଜେପିରେ ଲାଗି ରହିଥିବା ଅସନ୍ତୋଷ ଥମିଛି । । ବିଜେପୁର ଉପନିର୍ବାଚନକୁ ଦଳ ସଂଗଠିତ ଭାବେ ଲଢିବା ପାଇଁ ନିଷ୍ପତି ନେଇଛନ୍ତି । ଅନ୍ୟପଟେ ବରଗଡ ଜିଲ୍ଲା ସଭାପତି ନାରାୟଣ ସାହୁଙ୍କ ଭିତରେ ଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ମଧ୍ୟ ନେତାମାନେ ସକ୍ଷମ ହୋଇଛନ୍ତି ।

-dharmendra-pradhanବୈଠକ ପରେ ନାରାୟଣ ସାହୁ କହିଛନ୍ତି, ସେ ଦଳରେ ଥିଲେ ଏବଂ ଦଳରେ ରହିବେ ମଧ୍ୟ । ବୈଠକ ଶେଷ ହେବା ପରେ ଦଳ ଏକଜୁଟ ରହିଥିବା କହିଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ଏହା ସହ ବିଜେପୁର ଉପନିର୍ବାଚନରୁ ଓଡିଆ ଲୋକଙ୍କ ସ୍ୱାର୍ଥର ଲଢେଇର ଶୁଭାରମ୍ଭ ହେବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବୈଠକରେ ବରଗଡ ଓ ସମ୍ବଲପୁର ଜିଲ୍ଲା ସ୍ତରୀୟ ନେତାଙ୍କ ସହ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହି ଆଲୋଚନା କରିଥିଲେ । ବୈଠକ ପରେ ନାରାୟଣ କହିଥିଲେ ସେ ପାରିବାରିକ କାରଣ ଓ ବୟସାଧିକ ଯୋଗୁଁ କାର୍ଯ୍ୟରୁ ଅବ୍ୟାହତି ନେବାକୁ ଚାହୁଁଥିଲେ ମାତ୍ର ଦଳୀୟ ସଭାପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିନଥିଲେ ।

bijepurତେବେ ବରଗଡ ବିଜେପିରେ ଏହି ଅସନ୍ତୋଷ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ ଆରମ୍ଭ ହୋଇଥିଲା । ତାଙ୍କୁ ଦଳର ପ୍ରାର୍ଥୀ କରାଗଲେ ଜିଲ୍ଲା ସଭାପତି ନାରାୟଣ ସାହୁ ଦଳ ଛାଡିବେ ବୋଲି କୁହାଯାଇଥିଲା । ଏପରିକି ମିଶ୍ରଣ ପର୍ବରେ ମଧ୍ୟ ନାରାୟଣଙ୍କ ଦର୍ଶନ ମିଳିନଥିଲା । ବିଜେପୁର ବ୍ୟାଟଲଗ୍ରାଉଣ୍ଡକୁ ଯିବା ପୂର୍ବରୁ ଦଳ ଭିତରେ ଅସନ୍ତୋଷ ଦେଖା ଦେଇଥିଲା । ତେବେ ଦଳର ବୃହତ୍ତର ସ୍ୱାର୍ଥ ଆଗରେ ବ୍ୟକ୍ତିଗତ ଅସନ୍ତୋଷର ମୂଲ୍ୟ କିଛି ନାହିଁ ବୋଲି ଧର୍ମେନ୍ଦ୍ର ଗତକାଲି ରୋକଠୋକ ଶୁଣାଇଥିଲେ । ଏହାପରେ ନାରାୟଣଙ୍କୁ ନେଇ ବୁଝାସୁଝା ଆରମ୍ଭ କରିଥିଲେ ବିଜେପି ନେତୃବୃନ୍ଦ । ଆଉ ଶେଷରେ ବୋଧହୁଏ ଦଳୀୟ ଚାପ ଆଗରେ ମୁଣ୍ଡ ନୂଆଁଇଥିଲେ ନାରାୟଣ ।

ସୂଚନା ଅନୁସାରେ ଆସନ୍ତା ଦିନେ ଦୁଇ ଦିନ ଭିତରେ ବିଜେପୁର ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । କିନ୍ତୁ ଅନ୍ୟ ଦଳରୁ ପ୍ରାର୍ଥୀ ଆଣିବାକୁ ନେଇ ଉଭୟ ବିଜେପି ଓ ବିଜେଡିରେ କୁହୁଳୁଛି ଅସନ୍ତୋଷର ନିଆଁ । । ତେଣୁ ଏହି ଅସନ୍ତୋଷ ଦୁଇ ଦଳ ଉପରେ କଣ ପ୍ରଭାବ ପକାଉଛି ତାହା ନିର୍ବାଚନ ଫଳାଫଳ ହିଁ କହିବ ।