ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସାଙ୍ଘାତିକ ଅଭିଯୋଗ: କହିଲେ ଫେସବୁକ ଓ ହ୍ୱାଟ୍ସଆପରେ ମିଛ ଖବର ପ୍ରଚାର କରୁଛନ୍ତି ବିଜେପି, ଆରଏସଏସ

କଡା ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ: କହିଲେ, ନିଜ ଦଳକୁ ସମ୍ଭାଳି ପାରୁନାହାନ୍ତି ପରାଜିତ ନେତା

331

କନକ ବ୍ୟୁରୋ: ଚୀନ ସହ ବିବାଦକୁ ନେଇ ମୋଦିଙ୍କ ଉପରେ ବର୍ଷୁଥିବା ରାହୁଲ ଗାନ୍ଧୀଙ୍କ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ । ଏକ ନୂଆ ଅଭିଯୋଗ ଆଣି ବିଜେପି ଓ ଆରଏସଏସକୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ରାହୁଲ କହିଛନ୍ତି, ଫେସବୁକ ଓ ହ୍ୱାଟ୍ସଆପକୁ ନିୟନ୍ତ୍ରଣ କରୁଛନ୍ତି ବିଜପି, ଆରଏସଏସ । ଏକ ଟ୍ୱିଟ କରି ରାହୁଲ ଗାନ୍ଧୀ କହିଛନ୍ତି ଏହି ଦୁଇ ସୋସିଆଲ ମିଡିଆ ଜରିଆରେ ମିଛ ଖବର ପ୍ରସାରଣ କରୁଛନ୍ତି ବିଜେପି ଓ ଆରଏସଏସ । ବିଭାଜନ ସୃଷ୍ଟିକାରୀ ବାତାବରଣ ତିଆରି କରୁଛନ୍ତି । ବିଶେଷ କରି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏଭଳି କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ଆମେରିକା ଗଣମାଧ୍ୟମରେ ଏ ସଂପର୍କିତ ଖବର ପ୍ରକାଶ ପାଇଥିବା କହି ସେହି ରିପୋର୍ଟକୁ ମଧ୍ୟ ଟ୍ୱିଟ କରିଛନ୍ତି । ଆମେରିକାରୁ ପ୍ରକାଶିତ ‘ଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ରେ ପ୍ରକାଶିତ ଏକ ରିପୋର୍ଟ ଆଧାରରେ ଏହି ଆଭିଯୋଗ ବାଢିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲଙ୍କ ଏଭଳି ସାଙ୍ଘାତିକ ଅଭିଯୋଗ ପରେ ସାମ୍ନାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ରାହୁଲଙ୍କ ଅଭିଯୋଗର ସେହି ଟ୍ୱିଟରରେ ଜବାବ ରଖିଛନ୍ତି ରବିଶଙ୍କର । ଟ୍ୱିଟ କରି ଲେଖିଛନ୍ତି- ବିଫଳ ଲୋକ କେବେହେଲେ ଲୋକଙ୍କୁ ପ୍ରଭାବିତ କରିପାରିବେ ନାହିଁ । ଯେଉଁ ପରିଜାତ ନେତାମାନେ ନିଜ ଦଳର ଲୋକଙ୍କୁ ମନାଇ ପାରୁନାହାନ୍ତି, ସେମାନେ ଏବେ କହୁଛନ୍ତି, ପୁରା ବିଶ୍ୱକୁ ନିୟନ୍ତ୍ରଣ କରୁଛନ୍ତି ବିଜେପି ଓ ଆରଏସଏସ । ରାହୁଲଙ୍କ ଉଦ୍ଦେଶ୍ୟରେ ରବିଶଙ୍କର କହିଛନ୍ତି- କେମ୍ବ୍ରିଜ ଆନାଲିଟିକା ଏବଂ ଫେସବୁକ ସହିତ ଆପଣଙ୍କର କିଭଳି ବୁଝାମଣା ହୋଇଥିଲା ଏବଂ ତାହାର ରହସ୍ୟ ଉନ୍ମୋଚନ ହୋଇଥିଲା ତାହା ସମସ୍ତେ ଜାଣନ୍ତି । ନିର୍ବାଚନ ପୂର୍ବରୁ ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟକୁ ଅସ୍ତ୍ର ଭଳି ବ୍ୟବହାର କରିଥିବା ଲୋକ ଏବେ ଆମକ ପ୍ରଶ୍ନ କରୁଛନ୍ତି ବୋଲି ରବିଶଙ୍କର ପାଲଟା ଅଭିଯୋଗ ଆଣିଛନ୍ତି ।