ଲଗାତାର ୨ଟି ରାଉଣ୍ଡରେ ଆଗରେ ଆଶ୍ରିତ । ତଥାପି ୨୦ ହଜାର ଭୋଟ ପଛରେ ବିଜେପି? ଜାଣନ୍ତୁ କାହାକୁ ମିଳିଛି କେତେ ଭୋଟ?

319

କନକ ବ୍ୟୁରୋ : ଲଗାତାର ୨ଟି ରାଉଣ୍ଡରେ ଆଗୁଆ ଆଶ୍ରିତ । ୧୮ଟି ରାଉଣ୍ଡରେ ପଛରେ ରହିବା ପରେ ୧୯ତମ ରାଉଣ୍ଡରେ ପ୍ରଥମଥର ଆଗୁଆ ହୋଇଥିଲେ  ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଆଉ ଏହି ଧାରା ୨୦ତମ ରାଉଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି । ୨୦ ତମ ରାଉଣ୍ଡରେ ମଧ୍ୟ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ୨୦ତମ ରାଉଣ୍ଡ ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ୪୧୮୮ ଖଣ୍ଡ ଭୋଟ ହାତେଇବା ସହ ୩୦୯ ଖଣ୍ଡ ଭୋଟ ଆଗରେ ରହିଛନ୍ତି । ୨୦ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୩୮୭୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୧୨୨ ଖଣ୍ଡ ଭୋଟ ।

୨୦ ତମ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେଡି ୭୮୩୭୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୫୮୦୭୮ ଖଣ୍ଡ ଭୋଟ ପାଇଛି । ସେହିଭଳି କଂଗ୍ରେସ ଏଯାବତ୍ ମୋଟ ୩୬୬୩ ଖଣ୍ଡ ଭୋଟ ପାଇଛି । ୨୦ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୦୨୯୯ ଖଣ୍ଡ ଭୋଟ ଆଗରେ ରହିଛି । ଆଉ ହାତରେ ମାତ୍ର ୪ ରାଉଣ୍ଡ ଭୋଟ ଗଣତି ବାକି ଥିବା ବେଳେ ବିଜେଡିର ବିଜୟ ଆଶା ମଧ୍ୟ ବଢିଛି । ଏହି ଟ୍ରେଣ୍ଡ ଜାରି ରହିଲେ ଦଳ ପିପିଲିରେ ପୁଣିଥରେ ବିଜୟ ବାନା ଉଡାଇବ ବୋଲି ଆଶା ରଖିଛି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ପିପିଲି ଫଳାଫଳ ସାଜିଛି ଏସିଡ଼ ଟେଷ୍ଟ  । ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକ ଓ ବିଶ୍ୱକେଶନ ହରିଚନ୍ଦନଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ  କିଏ ମାରିବ ମାରିବ ବାଜି, ରହିଛି ସମସ୍ତଙ୍କ ନଜର  । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି  ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି  । ଆଉ ଏଥିପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।