ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଚିଠାକୁ ନେଇ ତେଜିଲା ଅସନ୍ତୋଷ । ନେତାଙ୍କ ଘରେ ଜମିଲା ଭିଡ, ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ।

212

କନକ ବ୍ୟୁରୋ : ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକାକୁ ନେଇ ବଢିଲା ବିବାଦ । ସମସ୍ୟାର ସମାଧାନ ପାଇଁ ନେତାଙ୍କ ଘରେ ପହଞ୍ଚୁଛନ୍ତି ଅସନ୍ତୁଷ୍ଟ । ସରକାରଙ୍କୁ ଘେରିଲେ ବିରୋଧୀ ବିଜେପି ଓ କଂଗ୍ରେସ । ସଂରକ୍ଷଣ ଆଧାର ବିହୀନ ବୋଲି କହିଛି ବିଜେପି । କଂଗ୍ରେସ କହିଛି ତାଲିକା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ । ବିଜେଡିର ଜବାବ ଅଭିଯୋଗ ଆସିଲେ ତର୍ଜମା କରିବେ ସରକାର ।

ପଞ୍ଚାୟତ ସଂରକ୍ଷଣକୁ ନେଇ ବଢ଼ିଲା ବିବାଦ । ନେତାଙ୍କ ଘରେ ଜମିଲା ଅସନ୍ତୁଷ୍ଟଙ୍କ ଭିଡ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବା ପରେ ଅନେକଙ୍କ ଆଶା ମଉଳି ଯିବାକୁ ବସିଛି । ବିଶେଷ କରି ଯେଉଁମାନେ ବର୍ଷ ବର୍ଷ ହେଲା, ତୃଣମୂଳ ସ୍ତରରେ ସଂଗଠନ କରୁଥିଲେ, ଓ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ ସେମାନଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ । ଆଉ ସମସ୍ୟାର ସମାଧାନ ପାଇଁ ନେତାଙ୍କ ଘରେ ପହଞ୍ଚିଛନ୍ତି ଅସନ୍ତୁଷ୍ଟ ।

ସଂରକ୍ଷଣ ତାଲିକାକୁ ନେଇ ତେଜିଲା ରାଜନୀତି । ବିରୋଧୀଙ୍କ ଅଭିଯୋଗ ତାଲିକା ତ୍ରୁଟିପୂର୍ଣ୍ଣ । ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣକୁ ନେଇ, ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିଜେପି କହିଛି, ପଞ୍ଚାୟତ ସଂରକ୍ଷଣ ଆଧାର ବିହୀନ ହୋଇଛି । ତରବରିଆ ଭାବେ କରାଯାଇଥିବାରୁ ଅନେକ ଜାଗାରେ ତ୍ରୁଟି ରହିଛି । କଂଗ୍ରେସର ଅଭିଯୋଗ, ସଂରକ୍ଷଣ ତାଲିକା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ । ନିଜ ସୁବିଧାରେ ତାଲିକା ପ୍ରକାଶ କରାଯାଇଛି । ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି, କାହାକୁ ସୁହାଇଲା ଭଳି ସଂରକ୍ଷଣ ହୋଇନାହିଁ । ଆପତି ଅଭିଯୋଗ ଆସିଲେ ସରକାର ତର୍ଜମା କରିବେ ।

ଆଗାମୀ ପଞ୍ଚାୟତ ନିର୍ବାଚନରେ କେଉଁ ଆସନ, କାହା ପାଇଁ ସଂରକ୍ଷଣ ହେବ ସେନେଇ ଶୁକ୍ରବାର ଜିଲ୍ଲା ସ୍ତରରେ ଚିଠା ତାଲିକା ପ୍ରକାଶ ପାଇଛି । ତେବେ, ୱାର୍ଡ଼ ମେମ୍ବର, ସରପଂଚ, ସମିତି ସଭ୍ୟ, ବ୍ଲକ ଚେୟାରମ୍ୟାନ ପାଇଁ ଯେଉଁମାନେ ଚାହିଁବେ ୧୬ ତାରିଖ ସୁଦ୍ଧା ଆପତି କରିପାରିବେ । ୨୨ ତାରିଖ ସୁଦ୍ଧା ଜିଲ୍ଲାପାଳ ଆପତି ଅଭିଯୋଗର ଶୁଣାଣି କରିବେ । ୨୬ ତାରିଖରେ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇବ । ସେହିପରି ଜିଲ୍ଲା ପରିଷଦ ସଦସ୍ୟ ସଂରକ୍ଷଣ ପାଇଁ ଆପତି ଥିଲେ ୧୮ ତାରିଖ ସୁଦ୍ଧା ଅଭିଯୋଗ କରିପାରିବେ । ୨୨ ତାରିଖରେ ଶୁଣାଣି କରାଯାଇ ଜିଲ୍ଲାପାଳଙ୍କ ଦ୍ୱାରା ସମାଧାନ କରାଯିବ । ୨୯ ତାରିଖରେ ସରକାରଙ୍କ ଅନୁମୋଦନ ନିଆଯାଇ ୩୦ ତାରିଖରେ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇବ ।