ସୋସିଆଲ ମିଡିଆରେ ବିଜେପି କଂଗ୍ରେସର ଲଢେଇ। ବିଜେପିର ଭିଡିଓ ବନାମ କଂଗ୍ରେସର ଫଟୋ।

167

କନକ ବ୍ୟୁରୋ: ବିଜେପିର ଭିଡିଓ, କଂଗ୍ରେସର ଫଟୋ । ମିତ୍ରକାଳ ବନାମ ଦୁର୍ନୀତି । ଗୋଟିଏ ଫଟୋ କଂଗ୍ରେସ ଜାରି କରିଛି । ଅନ୍ୟ ଫଟୋ ବିଜେପି ଜାରି କରିଛି । ବୟାନବାଜି ପରେ ଏବେ ସୋଶିଆଲ ମିଡିଆରେ ମୁହାଁମୁହିଁ ହେଉଛନ୍ତି ଉଭୟ ଦଳ । ପ୍ରତିଦିନ ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ଦୁର୍ନୀତିକୁ ପ୍ରସଙ୍ଗ କରି ପରସ୍ପରର ଗୋହି ଖୋଳୁଛନ୍ତି । ଆଗକୁ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ରହିଛି । ଏହାପୂର୍ବରୁ ଦୁଇ ଦଳ ଦୁର୍ନୀତିକୁ ପ୍ରସଙ୍ଗ କରି ଆରୋପ ପ୍ରତ୍ୟାରୋପ ଆଣୁଛନ୍ତି । କଂଗ୍ରେସ ଆଦାନୀ କମ୍ପାନୀ ସହ ପ୍ରଧାନମନ୍ତ୍ରୀଙ୍କର କି ସମ୍ପର୍କ ରହିଛି ବୋଲି ପ୍ରଶ୍ନ କରିବା ସହିତ ପ୍ରତିଦିନ ସୋସିଆଲ ମିଡିଆରେ ପ୍ରଶ୍ନ କରି ଶାସକ ଦଳ ବିଜେପିକୁ ଜବାବ ମାଗୁଛି । ଅନ୍ୟପଟେ ବିଜେପି ମଧ୍ୟ ରବିବାରଠୁ କଂଗ୍ରେସ ସରକାର ସମୟରେ ହୋଇଥିବା ବିଭିନ୍ନ ଘୋଟାଲାର ଭିଡିଓ ଜାରି କରି କାଉଣ୍ଟର କରୁଛି । ଯାହାକୁ କେବଳ ଦୁଇ ଦଳର ନେତା ନୁହଁନ୍ତି ବରଂ ସମର୍ଥକ ମଧ୍ୟ ତୃଣମୂଳ ସ୍ତରରେ ଉଠାଇ ଦୋଷ ଲଦାଲଦି ହେଉଛନ୍ତି ।

ଦେଶର ରାଜନୀତିରେ ଦୁର୍ନୀତି ଗୋଟିଏ ପ୍ରମୁଖ ମୁଦ୍ଦା । ଯାହା ଜନମତ ତିଆରି କରିବାରେ ସହାୟକ ହୁଏ । ଏହାର ଏକ ଉଦାହରଣ ହେଉଛି ୨୦୧୪ରେ କଂଗ୍ରେସ କ୍ଷମତାରୁ ଯିବା । ୨୦୦୪ରୁ ୨୦୧୪ କଂଗ୍ରେସ ସରକାରରେ ଥିଲା । କିନ୍ତୁ ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ବିଜେପି ଘେରିବା ପରେ ମୋଦୀ ସରକାର ଶାସନ ଗାଦିରେ ବସିଛି । କୋଲଗେଟ୍ ସ୍କାମ୍, ସିଡବଲ୍ୟୁସି, ଟୁ-ଜି ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେପି ନିଜ ସପକ୍ଷରେ ଗୋଟିଏ ବଡ ଜନମତ ତିଆରି କରିବାରେ ସଫଳ ହୋଇଥିଲା । ଆଉ ଏବେ କଂଗ୍ରେସ ମଧ୍ୟ ହିଣ୍ଡେନବର୍ଗ ଆଦାନୀ ପ୍ରସଙ୍ଗରେ ପ୍ରକାଶ କରିଥିବା ରିପୋର୍ଟ, ବିଭିନ୍ନ ଟେଣ୍ଡର ଆଦାନୀ ଗ୍ରୁପ ହାତେଇବାକୁ ପ୍ରସଙ୍ଗ କରି ଜବାବ ମାଗୁଛି କଂଗ୍ରେସ । ପରସ୍ପରକୁ ଯଦିଓ ଉଭୟ ଟାର୍ଗେଟ କରୁଛନ୍ତି । କିନ୍ତୁ ଅସଲ ପ୍ରଶ୍ନର ଉତ୍ତର କେହି ରଖୁନାହାନ୍ତି । ତେଣୁ କେବଳ ଭୋଟ୍ ବ୍ୟାଙ୍କକୁ ପ୍ରଭାବିତ କରିବା ପାଇଁ ଏହି ଦୁଇ ଦଳର ରଣନୀତି ବୋଲି ଆଶଙ୍କା କରାଯାଉଛି ।