ଖଣି ଖନନକୁ ନେଇ ଦୁଇ ବିରୋଧୀ ମୁହାଁମୁହିଁ । କଂଗ୍ରେସ-ବିଜେପି ମଧ୍ୟରେ ଗ୍ରାନାଇଟ୍ ଖଣିକୁ ନେଇ ଟଣାଓଟରା ରାଜନୀତି
ଖଣି ଖନନ ବିପକ୍ଷରେ କଂଗ୍ରେସ, ସପକ୍ଷରେ ବିଜେପି
କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଗ୍ରାନାଇଟ ଖନନକୁ ନେଇ ଦୁଇ ରାଜନୈତିକ ଦଳ ମୁହାଁମୁହିଁ । କିଏ ଖଣି ସପକ୍ଷରେ ଯୁକ୍ତି ବାଢୁଛି ତ ଆଉ କିଏ ଖନନ ବିପକ୍ଷରେ । ଲିଜ୍ ପରିଧୀ ବାହାରକୁ ଯାଇ କମ୍ପାନୀ ଖଣି ଖନନ କରିବା ସହ ବେଆଇନ ଭାବେ ଗ୍ରାନାଇଟ ଚଲାଣ କରୁଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି । ବିଜେପି କିନ୍ତୁ କମ୍ପାନୀର ସବୁ କିଛି ଠିକ୍ ଥିବା କହିଛି । ସେପଟେ ପ୍ରଥମ ଥର ମାଲକାନଗିରି ଜିଲ୍ଲାରେ ଖଣି ଖନନ କାମ ଆରମ୍ଭ ହୋଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏପରି ସ୍ଥିତିରେ କଣ ହେବ କମ୍ପାନୀର ଭାଗ୍ୟ ସେ ନେଇ ଦ୍ୱନ୍ଦରେ ଖଣି ଖନନକାରୀ ସଂସ୍ଥା ।
Kanak News is now on WhatsApp
Join and get latest news updates delivered to you via WhatsApp
ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ପେଟା ଗାଁରେ ଚାଲିଛି ଖଣି ଖନନ । ଭି.ଜି ଗ୍ରାନାଇଟନ୍ସ ନାମକ ଏକ ଘରୋଇ କମ୍ପାନୀ କିଛି ଦିନ ହେବ ଗ୍ରାନାଇଟ ଖନନ କରୁଛି । ସ୍ଥାନୟୀ ବେକାର ଯୁବକ ଯୁବତୀ ଓ ଶ୍ରମିକଙ୍କୁ ଲଗାଇ ଖଣି ଖନନ ପ୍ରକ୍ରିୟା ଜାରି ରଖିଛି କମ୍ପାନୀ । ହେଲେ ଖଣି ଖନନକୁ ତିବ୍ର ବିରୋଧ କରିଛି କଂଗ୍ରେସ । ଲିଜ ଜମି ସୀମା ବାହାରକୁ ଯାଇ ସଂପୃକ୍ତ କମ୍ପାନୀ ଖଣି ଖୋଳୁଛି । କମ୍ପାନୀ ଖଣି ଅଂଚଳରୁ ଗଛ କାଟି ସଫା କରିଦେଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି । ଏମିତି କି କମ୍ପାନୀର ପରିବେଶ ମଂଜୁରି ନଥିବା ବେଳେ ବିନା କାଗଜ ପତ୍ରରେ ଆନ୍ଧ୍ର ଦେଇ ବିଦେଶକୁ କୋଟି କୋଟି ଟଙ୍କାର ଗ୍ରାନାଇଟ ପଠାଯାଉଛି । ହେଲେ କେତେ ପରିମାଣର ଗ୍ରାନାଇଟ ଖନନ ହୋଇଛି ସେନେଇ ଜିଲ୍ଲା ପ୍ରଶସନ କି ଖଣି ବିଭାଗ ପାଖରେ ଖବର ନଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।
ସେପଟେ କଂଗ୍ରେସ ଅଭିଯୋଗର ଜବାବ ରଖିଛି ବିଜେପି । ମାଲକାନଗିରି ବି.ଜେ.ପି ବିଧାୟକଙ୍କ ନେତୃତ୍ୱରେ ଏକ ଟିମ୍ ପେଟା ସ୍ଥିତ ଭି.ଜି ଖଣି ଗସ୍ତ କରି ଖଣି ଖନନ ସପକ୍ଷରେ ଯୁକ୍ତି ବାଢିଛନ୍ତି । କଂଗ୍ରେସ ଦଳ ମନ୍ଦ ଉଦ୍ଦେଶ୍ୟ ରଖି ଏପରି ଅଭିଯୋଗ ଆଣି ଥିବା କହିଛନ୍ତି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ।
୧. ଭି.ଜି ଗ୍ରାନାଇଟନ୍ସ କମ୍ପାନୀ କେବଳ ଖଣି ଖନନ କାମ ଆରମ୍ଭ କରିଛି ।
୨. ଆଗକୁ ମୋଟୁ ଅଂଚଳରେ ଗ୍ରାନାଇଟ କଟିଂ ପ୍ଲାଂଟ ବସାଇବାକୁ ଲକ୍ଷ୍ୟ ରଖିିଛି କମ୍ପାନୀ ।
ଏଭଳି ସ୍ଥିତିରେ ଖଣି ଖନନକୁ ନେଇ ଦୁଇ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତିଆରୋପ ଯୋଗୁଁ ଚିନ୍ତାରେ କମ୍ପାନୀ । ମାଲାକନଗିରିରେ କୌଣସି କଳ କାରଖାନା ନଥିବାରୁ ହଜାର ହଜାର ଲୋକ ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ହେଲେ ଏବେ ପେଟା ଗାଁର ଗ୍ରାନାଇଟ ଖାଦାନରେ କିଛି ବେକାର ଯୁବକ ଯବତୀ ନିଯୁକ୍ତି ପାଇଥିବା ବେଳେ ଅନେକ ଆଦିବାସୀ ଶ୍ରମିକ ଭାବେ କାମ କରୁଛନ୍ତି । ତେଣୁ ଏହି ପ୍ରକଳ୍ପକୁ ସ୍ୱାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମାଲକାନଗିରି ଜିଲ୍ଲାରେ ପୂର୍ବରୁ ଟିନ, ସିମେଂଟ, ଲୁହା ପଥର କାରଖାନା ନେଇ ପ୍ରସ୍ତାବ ଆସିଛି । ହେଲେ ବିଭିନ୍ନ ମହଲରେ ତିବ୍ର ବିରୋଧ ଯୋଗୁ ଏଯାଏଁ ଜିଲ୍ଲାରେ କିଛି କଳ କାରଖାନା ସ୍ଥପନ ହୋଇପାରିନାହିଁ । ଆଉ ଏବେ ଦୁଇ ବିରୋଧୀ କଂଗ୍ରେସ-ବିଜେପି ମଧ୍ୟରେ ଟଣାଓଟରା ଲାଗିଥିବା ବେଳେ କ’ଣ ହେବ ଭି.ଜି ଗ୍ରାନାଇଟ୍ସର ଭାଗ୍ୟ ତାହା ଉପରେ ନଜର ।