କନକ ବ୍ୟୁରୋ : ଭାରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ସହ ଲକ୍ଷ୍ମୀ ଓ ଗଣେଷଙ୍କ ଫଟୋ ଲଗାଇବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ପରେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି । ବିଜେପି ନେତା ନୀତେଶ ରାଣେ ନୋଟ ଉପରେ ଛତ୍ରପତି ଶିବାଜୀଙ୍କ ଫଟୋ ଲଗାଇବାକୁ ଦାବି କରିଛନ୍ତି । ଅନ୍ୟପଟେ କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି ଭାରତୀୟ ନୋଟ ଉପରେ ମହାତ୍ମା ଗାନ୍ଧୀଙ୍କ ସହ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଲଗାଇବା ଉଚିତ ।
ଏହାର ଭିତରେ ଟଙ୍କାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲଗାଇବାକୁ ଦାବି କରିଛନ୍ତି ବିଜେନି ନେତା ରାମ କଦମ । କଦମ ଟୁଇଟି କରି ଛତ୍ରପତି ଶିବାଦୀ, ବିଆର ଆମ୍ବେଦକର, ନରେନ୍ଦ୍ର ମୋଦୀ, ବୀର ସାବକରରଙ୍କ ଫଟୋ ଥିବା ୪ ଟି ୫୦୦ ଟଙ୍କିଆ ନୋଟ ପୋଷ୍ଟ କରିଛନ୍ତି । ଟଙ୍କାରେ ଏମାନଙ୍କ ଫଟୋ ଲଗାଇବାକୁ ସେ ଦାବି କରିଛନ୍ତି ।କ୍ରେଜିୱାଲ ନୋଟ ଉପରେ ଭଗବାନ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ଦାବି ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି । ସମ୍ବିତ ପାତ୍ରଙ୍କ ବ୍ୟତୀତ ବିଜେପି ସାଂସଦ ମନୋଜ ତିୱାରୀ ଏବଂ କଂଗ୍ରେସ ନେତା ସନ୍ଦୀପ ଦିକ୍ଷୀତ କେଜ୍ରିୱାଲଙ୍କକୁ ଟାର୍ଗେଟ କରିଛନ୍ତି ।
ଅନ୍ୟପକ୍ଷରେ ସିପିଆଇଏମ ନେତା ବ୍ରିନ୍ଦା କରାଟ ଏହା ଉପରେ ମୁହଁ ଖୋଲିଛନ୍ତି । ନୋଟ ରାଜନୀତିକୁ ନେଇ ବ୍ରିନ୍ଦା କହିଛନ୍ତି, ଏମାନେ ସବୁ ଧର୍ମର ମଜାକ ଉଡ଼ାଉଛନ୍ତି । ଧର୍ମକୁ ଅସ୍ତ୍ର କରି ରାଜନୀତି ଆରମ୍ଭ କରିଛନ୍ତି । କେଜ୍ରିୱାଲ ପୂର୍ବରୁ ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି ଉପରେ ଗୁରୁତ୍ୱ ଦେବା କଥା କହୁଥିବାବେଳେ ଏବେ ହିନ୍ଦୁ ଦେବାଦେବୀଙ୍କୁ ନେଇ ରାଜନୀତି କରୁଛନ୍ତି । ବିଜେପି ମଧ୍ୟ ଧର୍ମକୁ ଅସ୍ତ୍ର କରି ଯେଉଁ ରାଜନୀତି କରୁଛି, ତାହା ସମସ୍ତେ ବୁଝିପାରୁଛନ୍ତି ସେ କହିଛନ୍ତି ।
Follow Us