ଯିଏ ଆସୁଛି ସିଏ ‘ଚାବି’ କଥା ପଚାରୁଛି… ରତ୍ନଭଣ୍ଡାର ପ୍ରସଙ୍ଗରେ ବର୍ଷୁଛନ୍ତି ବିଜେପିର ଶୀର୍ଷ ନେତା । ନଡ୍ଡା-ମୋଦିଙ୍କ ପରେ ବର୍ଷିଲେ ଶାହା…

48
କନକ ବ୍ୟୁରୋ: ଓଡିଶାରେ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ଆଉ ୟାରି ଭିତରେ ଏବେ ‘ଗ୍ୟାରେଣ୍ଟି’କୁ ନେଇ ଚାଲିଛି ୩ ପ୍ରମୁଖ ଦଳ ଭିତରେ ଛକାପଞ୍ଝା । କାହାର କଣ ଗ୍ୟାରେଣ୍ଟି- ତାହା ଜନତାଙ୍କୁ କହୁଛନ୍ତି ବିଭିନ୍ନ ଦଳ । ସେହି ‘ଗ୍ୟାରେଣ୍ଟି’ର ଲଢେଇ ଭିତରେ ଏବେ ରାଜ୍ୟରେ ଚାବିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଜନତା କାହା ହାତରେ ଶାସନର ‘ଚାବି’ ଧରାଇବେ ତାହା ତ ଜୁନ ୪ରେ ହିଁ ଜଣା ପଡିବ କିନ୍ତୁ ଏବେ ନିର୍ବାଚନ ସମୟରେ ଆଉ ଏକ ‘ଚାବି’କୁ ନେଇ ଆରମ୍ଭ ହୋଇଛି ଟଣାଓଟରା, କଥା କଟାକଟି । ଆଉ ସେହି ‘ଚାବି’ ହେଉଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି । ଓଡିଶାରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଅନେକ ସମୟରେ ଚର୍ଚ୍ଚା ଆଲୋଚନା ହୁଏ । ବିରୋଧୀ ସରକାରଙ୍କୁ ଘେରନ୍ତି । ବିଧାନସଭାରେ ଏ ପ୍ରସଙ୍ଗ ଉଠେ କିନ୍ତୁ ଏବେ ୨୦୨୪ ନିର୍ବାଚନ ପାଇଁ ବିଜେପି ଏହି ପ୍ରସଙ୍ଗକୁ ବଡ ମୁଦ୍ଦା କରିଛି । କାରଣ ଗତ କିଛି ଦିନ ତଳର କଥା ଯଦି ଆମେ ଦେଖିବା ତେବେ ଓଡିଶା ଆସିଥିବା ବିଜେପିର ଶୀର୍ଷ ନେତାମାନେ ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳିଛି ।
ପ୍ରଥମେ ବିଜେପିର ଇସ୍ତାହାର ଘୋଷଣା ଦିନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ବିଜେପି ଏଥର ତାର ଗ୍ୟାରେଣ୍ଟି ପତ୍ର ଅର୍ଥାତ ସଂକଳ୍ପପତ୍ରରେ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ରଖିଛି । ଯେଉଁଥିରେ କୁହାଯାଇଛି ବିଜେପି ଯଦି ଓଡିଶାରେ ସରକାର ଗଢେ ତେବେ ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନର ତାଲିକା ସାର୍ବଜନୀନ କରିବ ଏବଂ ଶାହା ମଧ୍ୟ ଦମ୍ଭର ସହ କହିଛନ୍ତି କି ଯଦି ଓଡିଶାବାସୀ ବିଜେପିକୁ ଜୁନ ୪ରେ ଓଡିଶାର ‘ଚାବି’ ଧରାଇବେ ତାହାଲେ ବିଜେପି ସରକାର ରତ୍ନ ଭଣ୍ଡାର ଚାବି ଖୋଜି ଦେବ । ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ ଉଠାଇଥିଲେ । ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି କୁଆଡେ ଗଲା, ଜନତାଙ୍କର ଏହା ଜାଣିବାର ଅଧିକାର ଅଛି । ରତ୍ନଭଣ୍ଡାର ଚାବି ସମ୍ଭାଳି ପାରୁ ନାହାନ୍ତି ସରକାର କଣ ସମ୍ଭାଳିବେ କହି କଟାକ୍ଷ କରିଥିଲେ ମୋଦି ।
ଆଉ ଆଜି ଆସ୍କା ସଭାରୁ ରାଜ୍ୟ ସରକାରଙ୍କୁ ପୁଣି ରତ୍ନଭଣ୍ଡାର ପ୍ରସଙ୍ଗରେ ଟାର୍ଗେଟ୍ କରିଛନ୍ତି ଶାହା । ରତ୍ନଭଣ୍ଡାର ଚାବିକୁ ନେଇ ବିବାଦ ହେଉଛି । ରତ୍ନ ଭଣ୍ଡାର ସୁରକ୍ଷିତ ରହିବା ଉଚିତ୍ କି ନୁହେଁ ବୋଲି ପ୍ରଶ୍ନ କରିବା ସହିତ ରତ୍ନ ଭଣ୍ଡାରର ଅସଲ ଚାବି କେଉଁଠି? ନକଲି ଚାବି କିଏ ବନେଇଲା ଏବଂ ନକଲି ଚାବିରେ ରତ୍ନ ଭଣ୍ଡାର ଖୋଲାହେଇଛି କି ବୋଲି ପ୍ରଶ୍ନ କରିଛନ୍ତି ଶାହା । ଅନ୍ୟପଟେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ କଣ ହେଲା? ନବୀନ ବାବୁଙ୍କ ସରକାର କାହାକୁ ବଞ୍ଚେଇବାକୁ ଚାହୁଁଛି ବୋଲି କହିଛନ୍ତି ଶାହା । ମହାପ୍ରଭୁଙ୍କ ରତ୍ନଭଣ୍ଡାର କେବଳ ଓଡିଶାର ନୁହେଁ ବରଂ ସାରା ବିଶ୍ୱରେ ରହୁଥିବା ମହାପ୍ରଭୁଙ୍କ ଭକ୍ତଙ୍କ ପାଇଁ ଶ୍ରଦ୍ଧାର କେନ୍ଦ୍ର । ତେଣୁ ବିଜେପି ଓଡିଶାରେ ସରକାର ଗଠନର ୬ ମାସ ଭିତରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଯାଞ୍ଚ ରିପୋର୍ଟ ଖୁଲାସା କରିବ ବୋଲି କହିଛନ୍ତି ଶାହା ।
ଖାଲି ବିଜେପିର ଶୀର୍ଷ ନେତା କାହିଁକି- ବିଜେପିର ରତ୍ନଭଣ୍ଡାର ଚାବି ଅଭିଯୋଗକୁ କାଉଣ୍ଟର କରିଛି ବିଜେଡି । ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଚାବି ପ୍ରସଙ୍ଗରେ ପ୍ରତିକ୍ରିୟା ବି ନିକଟରେ ରଖିଥିଲେ । ନିର୍ବାଚନ ଆସିଲେ କିମ୍ବା ନିର୍ବାଚନରେ ଶୋଚନୀୟ ଭାବେ ହାରିବାକୁ ଯାଉଥିଲେ ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇବା ଓଡିଶା ବିଜେପି ନେତାଙ୍କ ପୁରୁଣା ଅଭ୍ୟାସ ବୋଲି ଲେଖାଶ୍ରୀ ଜବାବ ଦେଇଥିଲେ । ସେ ଯାହା ବି ହେଉ- ଏ ସବୁ ଘଟଣାକ୍ରମ ହିଁ କହି ଦେଉଛି କି ଏଥର ୨୪ ଟକ୍କରରେ ରତ୍ନ ଭଣ୍ଡାର ଚାବି ହିଁ ରାଜନୀତିର ମୁଖ୍ୟ ଚାବି ହୋଇଛି ।