ସୁ୍ନ୍ଦରଗଡ଼ରେ ବିଜେପିକୁ ସାହା କୁସୁମ । ଦୁଇଦିନ ତଳେ ‘ଶଙ୍ଖ’ ସାଥ୍ ଛାଡ଼ିଥିଲେ ଆଜି ‘ପଦ୍ମ’ ଦେଲା ଟିକେଟ୍, ଯୋଗେଶ-କୁସୁମଙ୍କ ଭିତରେ ମହାଲଢ଼େଇ ।

197

କନକ ବ୍ୟୁରୋ: ବିଜେଡି ଛାଡ଼ିବାର ଦୁଇଦିନ ପରେ ବିଜେପି ଦେଲା ଟିକେଟ୍ । ଏକଥା ଆମେ ଏଥିପାଇଁ କହୁଛୁ ଯେ, ବିଜେପି ଚୂଡ଼ାନ୍ତ ଟିକେଟ୍ ତାଲିକାରେ ଅନେକ ଚର୍ଚ୍ଚିତ ପ୍ରାର୍ଥୀଙ୍କ ମଧ୍ୟରୁ ସୁନ୍ଦରଗଡ଼ ନେତ୍ରୀ କୁସୁମ ଟେଟେଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ବିଜେଡିରୁ ଟିକେଟ୍ ନପାଇବା ଯୋଗୁଁ ଗତକାଲି ‘ଶଙ୍ଖ’ ଛାଡ଼ି ପଦ୍ମ ଧରିଥିବା ପୂର୍ବତନ ବିଜେଡି ନେତ୍ରୀଙ୍କୁ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଟିକେଟ୍ ଦେଇଛି ବିଜେପି । ଗତ ଦୁଇଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ଏହି ସୁନ୍ଦରଗଡ଼ ନେତ୍ରୀଙ୍କୁ ଶାସକ ବିଜେଡ଼ିକୁ ମାତ୍ ଦେବାପାଇଁ ବାଛିଛି ବିଜେପି ।

ଅନ୍ୟପଟେ ଏହି ଆସନରେ ଏବେ ସମ୍ମାନର ଲଢ଼େଇ ଜୋରଦାର ହେବ ବୋଲି ବଳକଷା କଷି ଜୋର ଧରିଛି । କାରଣ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା ଯୋଗେସ ସିଂହଙ୍କୁ ବିଜେଡି ସୁପ୍ରିମୋ ଟିକେଟ୍ ଦେବାପରେ କୁସୁମ ଟେଟେ ବିଜେଡି ସୁପ୍ରିମୋଙ୍କ ଉପରେ ଖପ୍ପା ହୋଇ ବିଷ ଓଗାଳି ଇସ୍ତଫା ଦେଇଥିଲେ । ଏହାପରେ ଟିକେଟ୍ ପାଇବା ପ୍ରତିଶ୍ରୁତିରେ ଗତକାଲି ବିଜେପିରେ ସାମିଲ ହୋଇଥିଲେ । ସେହି ମର୍ମରେ ବିଜେପି କୁସୁମଙ୍କୁ ନିରାଶ ନକରି ଯୋଗେଶଙ୍କ ବିରୋଧରେ ପ୍ରାର୍ଥୀ କରିବାକୁ ଚୟନ କରିଛି । ଏବେ ଉଭୟଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଜୋରଦାର ହେବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

ଯଦି ବିଗତ ଦୁଇଟି ନିର୍ବାଚନକୁ ଅନୁଧ୍ୟାନ କରାଯାଏ ତେବେ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ଦବଦବା ଏଠାରେ ରହିଛି । ୨୦୦୯ରେ ଯୋଗେଶ ୫୫ ହଜାର ୧୮୩ ଖଣ୍ଡ ଭୋଟ ପାଇଥିବାବେଳେ ୨୦୧୪ରେ ୬୬ ହଜାର ୧୩୮ଟି ଖଣ୍ଡ ଭୋଟ୍ ପାଇ ଦୁଇ ଦୁଇଥର ବିଧାୟକ ହୋଇ ପତିଆରା ବିସ୍ତାର କରିଥିଲେ ଯୋଗେଶ । ତେବେ ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ଟିକେଟ୍ ପାଇ ଯୋଗେଶଙ୍କୁ ଟକ୍କର ଦେଇଥିଲେ କୁସୁମ ଟେଟେ ଏବଂ ୫୩ ହଜାର ୫୫୪ ଖଣ୍ଡ ଟିକେଟ୍ ପାଇ ଦ୍ୱିତୀୟ ସ୍ଥାନ ବଜାୟ ରଖିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଏହାରି ମଧ୍ୟରେ ରାଜ୍ୟ ରାଜନୀତି କଡ଼ ଲେଉଟାଇଥିବାରୁ ଉଭୟ ଟିକଟେ୍ ପାଇବା ଆଶାରେ ଦଳ ପରିବର୍ତ୍ତନ କରି ଦଳୀୟ ସୁପ୍ରିମୋଙ୍କ ମନ ଜିଣିଛନ୍ତି । ତେଣୁ ଗୋଟିଏ ପଟେ ବିଜେଡି ପାଇଁ ସୁନ୍ଦରଗଡ଼ ମଙ୍ଗ ଯୋଗେଶଙ୍କ ହାତରେ ଥିବାବେଳେ ଏବେ କୁସୁମଙ୍କୁ ଯୋଗେଶଙ୍କ ବିରୋଧରେ ପ୍ରାର୍ଥୀ କରି ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା କରିବାକୁ ଗୋଟି ଚାଳନା କରିଛି ବିଜେପି ବୋଲି ଚର୍ଚ୍ଚା ହେଉଛି ।