ମୁଖ୍ୟମନ୍ତ୍ରୀ ଚୌକିର ମ୍ୟୁଜିକ୍ ଚେୟାର । ୪ଟି ରାଜ୍ୟରେ କ୍ଷମତାର ପଟ୍ଟ ପରିବର୍ତ୍ତନ କଲା ବିଜେପି । ପଢନ୍ତୁ, ଏହା ପଛର କାହାଣୀ…

145

କନକ ବ୍ୟୁରୋ: ୨୦୨୧ ମସିହାରେରେ ଦେଶର ୪ଟି ବିଜେପି ଶାସିତ ରାଜ୍ୟରେ ମ୍ୟୁଜିକ ଚେୟାର ପରି ବଦଳିଯାଇଛି ମୁଖ୍ୟମନ୍ତ୍ରୀଙ୍କ ଚୌକି । ଏହି ରାଜ୍ୟ ଗୁଡିକ ମଧ୍ୟରେ ରହିଛି ଆସାମ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ ଗୁଜରାଟ । କର୍ଣ୍ଣାଟକରେ ବିଏସ ୟେଦୁରପ୍ପା, ଉତ୍ତରାଖଣ୍ଡରେ ତ୍ରିଭେନ୍ଦ୍ର ସିଂ ରାୱତ, ଆସାମରେ ସର୍ବାନନ୍ଦ ସୋନୱାଲ ଓ ଏବେ ଗୁଜରାଟରେ ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ହଟିଛନ୍ତି । ତେବେ ଗୁଜରାଟରେ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଗାଦି ଛାଡି କେନ୍ଦ୍ର କ୍ଷମତାକୁ ଯିବା ପରଠାରୁ ମୁଖ୍ୟମନ୍ତ୍ରୀ ଗାଦି ମ୍ୟୁଜିକ ଚେୟାର ପରି ବଦଳିବାରେ ଲାଗିଛି । ପ୍ରାୟତଃ କୌଣସି ନେତା ୫ ବର୍ଷର କୋଟା ପୂରଣ କରିବାରେ ସଫଳ ହୋଇ ପାରୁନାହାନ୍ତି । ମୋଦୀ ଏକାଦିକ୍ରମେ ୨୦୦୧ରୁ ୨୦୧୩ ଯାଏଁ ମୁଖ୍ୟମନ୍ତ୍ରୀ ରହିବାରେ ସଫଳ ହୋଇଥିଲେ ।’

  • ମୁଖ୍ୟମନ୍ତ୍ରୀ ବଦଳିବାରେ ହ୍ୟାଟ୍ରିକ
  • ଆସାମ,ଉତ୍ତରାଖଣ୍ଡ ପରେ ଗୁଜରାଟ

ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ବିଜେପି କେନ୍ଦ୍ରୀୟ ନେତା ଇସ୍ତଫା ଦେବାକୁ ଇସାରା ଦେବା ପରେ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ୨୦୨୨ରେ ଗୁଜରାଟ ବିଧାନସଭା ନିର୍ବାଚନ ରହିଛି । ତା ଆଗରୁ ମୁଖ୍ୟମନ୍ତ୍ରୀ ବଦଳିବା ସମସ୍ତଙ୍କୁ ଚକିତ କରିଦେଇଥିଲା । କୁହାଯାଉଛି ପଟିଦାର ସମ୍ପ୍ରଦାୟର ଭୋଟ୍ ହାତେଇବାକୁ ବିଜେପି ଖେଳିଛି ଚାଲ ।

  • ଉତ୍ତରାଖଣ୍ଡରେ ମ୍ୟୁଜିକ ଚେୟାରରେ ମୁଖ୍ୟମନ୍ତ୍ରୀ
  • ପ୍ରଥମେ ବଦଳିଲେ ତ୍ରିବେନ୍ଦ୍ର ସିଂ ରାୱତ
  • ପରେ ବଦଳିଲେ ତିରଥ ସିଂ ରାୱତ

ଏହାପୂର୍ବରୁ ଉତ୍ତରାଖଣ୍ଡରେ ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ହଟିଥିଲେ ତ୍ରିବେନ୍ଦ୍ର ସିଂ ରାୱତ । ଏହାପରେ ମୁଖ୍ୟମନ୍ତ୍ରୀ ଗାଦି ପାଇଥିବା ତିରଥ ସିଂ ରାୱତ ମଧ୍ୟ ବେଶି ଅଧିକ ସମୟ ନିଜ ଚୌକି ବଞ୍ଚାଇ ରଖିବାରେ ସଫଳ ହୋଇନଥିଲେ । ବିଜେପି ଗତ ଜୁଲାଇ ୪ ତାରିଖରେ ପୁଷ୍କର ସିଂ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ, ତିରଥ ସିଂ ରାୱତଙ୍କୁ ବିଦା କରିଦେଇଥିଲା । କାହିଁକି ନା, ଫଟା ଜିନ୍ସଠାରୁ ଆରମ୍ଭ କରି କରୋନାକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିଲେ ତ୍ରିଭେନ୍ଦ୍ର ସିଂ ରାୱତ । ତେଣୁ ବିବାଦୀୟ ଅବସ୍ଥାରେ ତାଙ୍କୁ ବିଦା କଲା ଦଳ । ସେହିପରି ତିରଥ ସିଂ ରାୱତ ମଧ୍ୟ କରୋନାକୁ ନେଇ ବିବାଦୀୟ ବୟାନ ଦେଇ କେନ୍ଦ୍ରୀୟ ନେତାଙ୍କ ମୁଣ୍ଡ ବିନ୍ଧା ପାଲଟିଥିଲେ ।

  • ୨୦୨୧ରେ ବଦଳିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
  • ୨୬ ଜୁଲାଇରେ ଗାଦି ଛାଡିଲେ ୟେଦୁରପ୍ପା

ଉତ୍ତରାଖଣ୍ଡ ପରି କର୍ଣ୍ଣାଟକରେ ଗତ ଜୁଲାଇ ମାସରେ ଦେଖିବାକୁ ମିଳିଥିଲା କ୍ଷମତାର ପଟ୍ଟ ପରିବର୍ତ୍ତନ । ୨୦୨୧ ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ନିଜ ପଦବୀରୁ ଇସ୍ତଫା ଦେଇଥିଲେ । କର୍ଣ୍ଣାଟକରେ କ୍ଷମତା ଗଢିଥିବା ବିଜେପି ସରକାରକୁ ମାତ୍ର ୨ ବର୍ଷ ହୋଇଥିଲା । ୨୦୧୮ରେ ବିଧାନସଭା ନିର୍ବାଚନ ପରେ ବିଜେପି ଓ ଜେଡିଏସ ଏଠାରେ ସରକାର ଗଠନ କରିଥିଲେ । ମାତ୍ର ବର୍ଷେ ଚାଲିଥିଲା ଏହି ସରକାର । ଏହା ପରେ ବିଶ୍ୱାସ ମତରେ ହାରି ଏହି ସରକାର ଭାଙ୍ଗି ଗଲା । ବିଜେପି ବିଏସ ୟେଦୁରପ୍ପାଙ୍କ ନେତୃତ୍ୱରେ ସରକାର ଗଠନ କଲା । ୭୮ ବର୍ଷୀୟ ୟେଦୁରପ୍ପାଙ୍କ ବୟସ କାରଣରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରୁ ଦଳ ହଟାଇଲା ବୋଲି କୁହାଯାଉଛି । କାରଣ ବିଜେପିର ରାଜନୀତରେ ଅବସର ସମୟ ଅଛି ୭୫ ବର୍ଷ । ୟେଦୁରପ୍ପାଙ୍କ ପରେ କର୍ଣ୍ଣାଟକରେ ନୂଆ ମୁଖ୍ୟମନ୍ତ୍ରୀ ହେଲେ ବାସବରାଜ ବୋମାଇ । ବର୍ତ୍ତମାନ ସେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାରେ ଅଛନ୍ତି ।

  • ଆସାମରେ ବଦଳିଲା ମୁଖ୍ୟମନ୍ତ୍ରୀ ଚେହେରା
  • ସୋନୱାଲଙ୍କୁ ଛାଡି ହିମନ୍ତ ବିଶ୍ୱଶର୍ମା ପିନ୍ଧିଲେ ମୁକୁଟ

୨୦୨୧ରେ ଆସାମ ନିର୍ବାଚନରେ ବିଜେପିର ବିଜୟ ହୋଇଥିଲା । ଦଳକୁ ବଡ ବିଜୟ ଦେବାରେ ହିମନ୍ତ ବିଶ୍ୱଶର୍ମା ନେଇଥିଲେ ବଡ ଭୂମିକା । ଦଳ ତାଙ୍କୁ ପୁରସ୍କାର ଦେବାକୁ ଯାଇ ପୂର୍ବ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ବିଦା କରିବାକୁ ବାଧ୍ୟ ରହିଥିଲା । କାରଣ ହିମନ୍ତ ବିଶ୍ୱଶର୍ମା କଂଗ୍ରେସ ଛାଡି ବିଜେପିର ହାତ ଧରିଥିଲେ । ଦଳରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ନମିଳିଥିଲେ ସେ ବିଜେପିରେ ଫାଟ ସୃଷ୍ଟି କରିଥାନ୍ତେ । ଆଗରୁ କରୋନା ସ୍ଥିତିକୁ ଭଲ ଭାବରେ ମୁକାବିଲାରେ ବି ସେ ବଡ ଭୂମିକା ନେଇଥିଲେ । ତେଣୁ ୨୦୨୧ ମେ ମାସରେ କେନ୍ଦ୍ର ବିଜେପି ସର୍ବାନନ୍ଦ ସୋନୱାଲଙ୍କୁ ଛାଡି , ହିମନ୍ତ ବିଶ୍ୱଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ଦେଇଥିଲା । ଏଠାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇନଥିଲେ, କିନ୍ତୁ ଚେହେରା ବଦଳାଇ ଦେଇଥିଲା ବିଜେପି ।