କନକ ବ୍ୟୁରୋ: ୩ ମାସ ପୂରିନି ତିନି ତିନିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ବଦଳାଇବାକୁ ଯାଉଛି ବିଜେପି । ଜୁଲାଇ ପ୍ରଥମ ସପ୍ତାହରେ ଉତ୍ତରାଖଣ୍ଡରେ ୪ ମାସର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କୁ ବଦଳାଇ ପୁଷ୍କର ସିଂ ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ସେହି ଜୁଲାଇ ମାସ ଶେଷ ସପ୍ତାହରେ ୟେଦ୍ୟୁରପ୍ପାଙ୍କ ସ୍ଥାନରେ ବାସବରାଜ ବୋମାଇ ହୋଇଥିଲେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । ଆଉ ଉତ୍ତରଖଣ୍ଡ ଓ କର୍ଣ୍ଣାଟକ ପରେ ଏବେ ଗୁଜରାଟର ପାଳି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ରୂପାଣୀ । ୫ ବର୍ଷ ୩୫ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ସେ ପଦରୁ ଓହରି ଯାଇଛନ୍ତି ।
ତେବେ ୨୦୨୨ ଶେଷ ଆଡକୁ ହେବାକୁ ଯାଉଛି ଗୁଜରାଟ ବିଧାନସଭା ନିର୍ବାଚନ । କରୋନା ପରିଚାଳନା, ଚାଷୀ ଆନ୍ଦୋଳନ ଆଦି ପ୍ରସଙ୍ଗରେ ବିଜୟ ରୂପାଣୀଙ୍କ ପ୍ରଦର୍ଶନରେ ବିଜେପିର ଶୀର୍ଷ ନେତୃତ୍ୱ ଖୁସି ନାହାଁନ୍ତି । ତେଣୁ ନିର୍ବାଚନ ପାଖେଇ ଆସୁଥିବାରୁ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନି ଦଳ ।
କଂଗ୍ରେସ ଓ ଆମ ଆଦମୀ ପାର୍ଟି ଗୁଜରାଟରେ ପ୍ରଭାବ ବିସ୍ତାର କରିବାକୁ କସରତ କରୁଥିବା ବେଳେ, ବିଭିନ୍ନ ପ୍ରସଙ୍ଗରେ ବିଜୟ ରୂପାଣୀ ପ୍ରଭାବଶାଳୀ ଭୂମିକା ତୁଲାଉ ନଥିବାରୁ ଦଳର ତୃଣମୂଳ ସ୍ତରରେ ଅସନ୍ତୋଷ ବଢିବାରେ ଲାଗିଛି । ଏପଟେ କାହାକୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରାଯିବ, ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।
ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଛାଡିଦେଲେ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ବଡ଼ ଆହ୍ୱାନ ଭଳି ରହିଛି । ଶୀର୍ଷ ନେତୃତ୍ୱର ଆଶାନୁରୂପ ପ୍ରଦର୍ଶନ ନହେଲେ ପଦ ହରାଇବାର ଆଶଙ୍କା ବଢ଼ିଯାଇଛି । କଂଗ୍ରେସ ହେଉ କି ଅନ୍ୟ ଆଞ୍ଚଳିକ ଦଳ ଭଳି ମୁଖ୍ୟମନ୍ତ୍ରୀ ପଦରେ ଜଣକୁ ବର୍ଷ ବର୍ଷ ଧରି ନରଖି ପାଳି କରି ଦାୟିତ୍ୱ ଦେବା ରଣନୀତି ଆପଣାଇଛି ବିଜେପି । କ୍ୟାଡର ଭିତ୍ତିକ ଦଳ ହୋଇଥିବାରୁ ନେତୃତ୍ୱ ନେବାର ସୁଯୋଗ ସମସ୍ତଙ୍କ ପାଖରେ ରହିଛି ବୋଲି ବାର୍ତ୍ତା ଦେଇଛି ବିଜେପି ।