କନକ ବ୍ୟୁରୋ : ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ଅମିତ ଶାହା ୨ ଦିନିଆ ଗସ୍ତରେ ଆସି  ପଶ୍ଚିମବଙ୍ଗରେ ପହଂଚିଛନ୍ତି । ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ପ୍ରସ୍ତୁତି ବୈଠକରେ ଯୋଗ ଦେବେ ଅମିତ୍ ଶାହା  । ଶ୍ରୀ ଶାହା ପଶ୍ଚିମବଙ୍ଗରେ ପହଂଚିବା ପରେ ଦଳ ପକ୍ଷରୁ କୋଲକତା ସେଣ୍ଟ୍ରାଲରୁ ଏକ ରାଲି ବାହାରିଥିଲା । କୋଲକତା ବିଜେପିର ନେତା ସ୍ପଷ୍ଟ କରିଛନ୍ତି କି ଆଗାମୀ ବିଧାନସଭା ନିର୍ବାଚନରେ ପାର୍ଟିର ନେତୃ୍ତ୍ୱ ନେବେ ଶ୍ରୀ ଶାହା । କୋଭିଡ ମହାମାରୀ ଭିତରେ ଶାହାଙ୍କ ଏହା ପ୍ରଥମ ରାଜ୍ୟଗସ୍ତ । ଏହା ପୂର୍ବରୁ ୧ ମାର୍ଚ୍ଚରେ ସେ କୋଲକତା ଗସ୍ତରେ ଯାଇଥିଲେ ।

Advertisment

ବୁଧବାର ରାତିରେ ଶ୍ରୀ ଶାହା ପଶ୍ଚିମବଙ୍ଗ ପହଂଚିଥିଲେ । ଆଜି ସେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ଭାବେ ବାଙ୍କୁଡା ପହଂଚିଛନ୍ତି । ସେଠାରେ ସେ ପାର୍ଟିର କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ବର୍ଗର ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବାଙ୍କୁଡାରେ ପ୍ରାୟତ ଜନଜାତି ବର୍ଗର ଲୋକଙ୍କ ସଂଖ୍ୟା ଅଧିକ । ଏହି ଅଞ୍ଚଳ ଦୀର୍ଘଦିନ ହେବ ମାଓବାଦୀଙ୍କ କବଜାରେ ରହିଥିଲା । ଏଠାରେ ଶ୍ରୀ ଶାହା ପଶ୍ଚିମବଙ୍ଗଳାର ଦକ୍ଷିଣ ଭାଗରେ ଥିବା ୭୦ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳର ନେତାଙ୍କ ସହ ଆଲୋଚନା କରିବେ । ଏହା ସହ ବାଙ୍କୁଡା ଜିଲ୍ଲାର ଚର୍ତୁଘୀ ଗ୍ରାମରେ ଏକ ଦଳିତ ପରିବାର ସହ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଶୁକ୍ରବାର ଦିନ ଶ୍ରୀ ଶାହା ମଟୁଆ ସଂପ୍ରଦାୟର ଏକ ପରିବାର ସହିତ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ବି ରହିଛି । ଏହି ମଟୁଆ ସଂପ୍ରଦାୟ ମୁଖ୍ୟତ ପୂର୍ବ ପାକିସ୍ତାନରୁ ଆସି ଏଠାରେ ବସତି ସ୍ଥାପନ କରିଛନ୍ତି । ସେମାନଙ୍କର ଦାବି ରହିଛି କି ନାଗରିକତା ସଂଶୋଧନ ଆଇନ ବଳରେ ସେମାନଙ୍କୁ ନାଗରିକତା ପ୍ରଦାନ କରାଯାଉ । ଏହି ସଂପ୍ରଦାୟର ଲୋକମାନେ ୨୦୧୯ ରେ ବିଜେପିକୁ ଭୋଟ ଦେଇ ଶାନ୍ତୁନ ଠାକୁରଙ୍କୁ ସାଂସଦ ଭାବେ ନିର୍ବାଚିତ କରିଥିଲେ । ଶାନ୍ତୁନ ଠାକୁର ନାଗରିକତା ସଂଶୋଧନ ଆଇନ ମୁତାବକ ଏହି ସଂପ୍ରଦାୟର ଲୋକଙ୍କୁ ନାଗରିକତା ପ୍ରଦାନ କରିବାକୁ ଦାବି କରି ଆସୁଛନ୍ତି ।

ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆସୁଛନ୍ତି । ବୁଧବାର ଦିନ ବି ରାଜ୍ୟସରକାରଙ୍କ ପକ୍ଷରୁ ମାଟିଆ ସଂପ୍ରଦାୟର କିଛି ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରିଛନ୍ତି । ଶ୍ରୀ ଶାହାଙ୍କ ଗସ୍ତକୁ ନେଇ ଟିଏମସି ସାଂସଦ ସୌଗତ ରାୟ କହିଛନ୍ତି କି ଏହା ବିଜେପିର କେବଳ ପଲଟିକାଲ ଷ୍ଟଣ୍ଟ ।