ବଲାଙ୍ଗୀର ଗସ୍ତରେ ବିଜେପିର ତିନି ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ

ସେପଟେ ବ୍ରହ୍ମପୁରରେ ବିଜେପିର ବିରାଟ ବିକ୍ଷୋଭ ଶୋଭଯାତ୍ରା; ଆଜିଠାରୁ ତିନି ଦିନ ଧରି ରାଜ୍ୟର ସମସ୍ତ ଥାନା ଘେରାଉ କରିବେ ବିଜେପି କର୍ମୀ, ଲୋୟର-ପିଏମଜିରେ କିନ୍ନର ସଂଘର ପ୍ରତିବାଦ

122

କନକ ବ୍ୟୁରୋ : ମମିତା ହତ୍ୟା ମାମଲାର ସରଜମିନ ଅନୁଧ୍ୟାନ ପାଇଁ ବଲାଙ୍ଗୀର ଗସ୍ତରେ ବିଜେପିର ତିିନି ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ । ବିଜେପି ସାଂସଦ ସୁନିତା ଦୁଗଲ, ବିଜେପି ମହିଳା ମୋର୍ଚ୍ଚା ସଭାପତି ଏସ୍ ଶ୍ରୀନିବାସନ୍ ଏବଂ ବିଜେପି ବିଧାୟକ ରୂପା ମିତ୍ର ଚୌଧୁରୀଙ୍କୁ ନେଇ ତିନି ଜଣିଆ କମିଟି ବଲାଙ୍ଗୀର ଗସ୍ତରେ ଆସିଛନ୍ତି । ଏହି କେନ୍ଦ୍ରୀୟ ଟିମ୍ ପ୍ରଥମେ ମମିତାଙ୍କ ପରିବାରକୁ ଭେଟିବେ ।

ପରିବାର ସହ ଆଲୋଚନା କରିବେ । ତାପରେ ମହାଲିଙ୍ଗ ଯାଇ ଯେଉଁଠି ମମିତାଙ୍କ ଶବକୁ ପୋଡି ଦିଆଯାଇଥିଲା ସେଠାରେ ଅନୁଧ୍ୟାନ କରିବେ । ଅନୁଧ୍ୟାନ ପରେ ଏହି ଟିମ୍ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବ । ଆସନ୍ତାକାଲି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଆଜିଠାରୁ ତିନି ଦିନ ଧରି ରାଜ୍ୟର ସମସ୍ତ ୬୨୫ ଥାନା ଘେରାଉ କରିବ ବିଜେପି ।

ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି । ବ୍ରହ୍ମପୁରରେ ବିଜେପି ପକ୍ଷରୁ ଜୋରଦାର ବିକ୍ଷୋଭ କରାଯାଉଛି । ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବି ଓ ସିବିଆଇ ତଦନ୍ତ ଦାବିରେ ବ୍ରହ୍ମପୁର ଏସ୍ପି ଅଫିସ୍ ଘେରାଉ କରିଛି ବିଜେପି । ପୋଲିସ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଥିଲେ ବିଜେପି କର୍ମୀ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନରତ ବିଜେପି କର୍ମୀ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିବା ଅଭିଯୋଗ ହୋଇଛି ।

ରାସ୍ତାକୁ ଓହ୍ଲାଇଲେ କିନ୍ନର । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ଟ୍ରାନ୍ସଜେଣ୍ଡର ସୁରକ୍ଷା ସଂଘ । ଲୋୟର ପିଏମଜିରେ ପ୍ରତିବାଦ କରିଛନ୍ତି । ମନ୍ତ୍ରୀଙ୍କ କୁଶପୂତଳିକା ଦାହ କରି ପ୍ରତିବାଦ କରିଛନ୍ତି ବହୁ ସଂଖ୍ୟାରେ କିନ୍ନର । ଅଲ ଇଣ୍ଡିଆ ଡିଏସଓ ବି କରୁଛି ପ୍ରତିବାଦ ।