କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀକୁ ଆଉ ଏକ ସଫଳତା । ପ୍ରଥମେ ଉଦ୍ଧବ ସରକାରକୁ ଶାସନ କ୍ଷମତାରୁ ବିଦା କରିବା ପରେ ଏବେ ବାଚସ୍ପତି ନିର୍ବାଚନରେ କାମ କରିଛି ସିନ୍ଦେ-ଦେବେନ୍ଦ୍ରଙ୍କ ରଣନୀତି । ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ବାଚସ୍ପତି ନିର୍ବାଚନରେ ବାଜି ମାରିଛନ୍ତି ବିଜେପି ସମର୍ଥିତ ପ୍ରାର୍ଥୀ ରାହୁଲ ନାର୍ବେକର । ବାଚସ୍ପତି ନିର୍ବାଚନରେ ବିଜୟ ପାଇଁ ୧୪୪ ଖଣ୍ଡ ଭୋଟର ଆବଶ୍ୟକତା ଥିବା ବେଳେ ରାହୁଲଙ୍କୁ ୧୬୪ ଖଣ୍ଡ ଭୋଟ ମିଳିଛି । ଆଉ ଏହି ସଂଖ୍ୟା ହିଁ ରାହୁଲଙ୍କ ବିଜୟ ରାସ୍ତାକୁ ସହଜ କରିଛି । ବାଚସ୍ପତି ନିର୍ବାଚନ ପାଇଁ ପ୍ରତ୍ୟେକ ସଦସ୍ୟଙ୍କ ବ୍ୟକ୍ତିଗତ ମତ ପଚରାଯାଉଛି । ଯାହାଦ୍ୱାରା ଗୃହ ଭିତରେ ହିଁ ସ୍ପଷ୍ଟ ହୋଇଛି ଯେ, କାହା ସମର୍ଥନରେ କିଏ ଭୋଟ କରିଛନ୍ତି । ତେବେ ବାଚସ୍ପତି ପଦରେ ରାହୁଲଙ୍କ ବିଜୟ ନେଇ କେବଳ ଔପଚାରିକ ଘୋଷଣା ବାକି ରହିଛି । ଏହି ନିର୍ବାଚନରେ ସମାଜବାଦୀ ପାର୍ଟିର ଦୁଇ ଜଣ ବିଧାୟକ କାହାକୁ ଭୋଟ ଦେଇନାହାନ୍ତି । ଅନ୍ୟପଟେ ଏହି ନିର୍ବାଚନରେ ଶିବସେନା ସମର୍ଥିତ ପ୍ରାର୍ଥୀ ରାଜନ ସାଲଭି ପରାଜିତ ହୋଇଛନ୍ତି ।

Advertisment