ବାଲେଶ୍ୱର ଉପନିର୍ବାଚନରେ ଭାବବିହ୍ୱଳ ଦୃଶ୍ୟ: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ବୟାନ ପରେ କାନ୍ଦି ପକାଇଲେ ବିଜେପି ପ୍ରାର୍ଥୀ ମାନସ ଦତ; ପ୍ରଶ୍ନ କଲେ ଜଣଙ୍କର ମୃତ୍ୟୁ କେମିତି ହୋଇପାରେ ସୁଯୋଗ

ମନ୍ତବ୍ୟ ନେଇ ଦୁଃଖ ପ୍ରକାଶ କଲେ ରଣେନ୍ଦ୍ର

288

କନକ ବ୍ୟୁରୋ: ବାଲେଶ୍ୱର ଉପନିର୍ବାଚନରେ ଦେଖିବାକୁ ମିଳିଛି ଭାବବିହ୍ୱଳ ଚିତ୍ର । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାଲେଶ୍ୱର ଉପନିର୍ବାଚନକୁ ଏକ ସୁଯୋଗ କହିବା ପରେ ଛଳ ଛଳ ହୋଇ କାନ୍ଦି ପକାଇଛନ୍ତି ଦିବଗଂତ ବିଧାୟକ ମଦନ ମୋହନ ଦତଙ୍କ ପୁଅ ମାନସ ଦତ । ଜଣେ ନେତାଙ୍କ ମୃତ୍ୟୁକୁ ସୁଯୋଗ କହିବା ଆଘାତ ଦେଇଛି ବୋଲି ବିଜେପି ପ୍ରାର୍ଥୀ କହିଛନ୍ତି । ଆଉ ଏହି ଘଟଣା ପରେ ଦୁଃଖ ପ୍ରକାଶ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ବାଲେଶ୍ୱର ଉପନିର୍ବାଚନରେ ପ୍ରଚାର କରୁଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏହି ମନ୍ତବ୍ୟ ବେଶ୍ ମହଙ୍ଗା ପଡିଲା । ଯେତେବେଳେ ବିଜେପିର ପ୍ରାର୍ଥୀ, ମାନସ ଦତ ଏହାକୁ ନେଇ ଇମୋସନାଲ କାର୍ଡ ଖେଳିଲେ । ତେବେ ନିର୍ବାଚନରେ ଏଭଳି ଇମୋସନାଲ କାର୍ଡ ବହୁତ କାମ ଦିଏ । ଏକଥା ବୁଝିବା ପାଇଁ ଆଦୌ ବିଳମ୍ବ କଲେ ନାହିଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତୁରନ୍ତ ନିଷ୍ପତି ନେଲେ ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ବାଲେଶ୍ୱରରେ ଉପନିର୍ବାଚନ ହେଉଛି । ତେଣୁ ତାଙ୍କ ପୁଅ ମାନସଙ୍କ ପ୍ରତି ସମ୍ବେଦନାର ଏକ ପ୍ରଭାବ ନିଶ୍ଚୟ ରହିଥିବ । ଏକଥା ବିଜେଡି ମଧ୍ୟ ଭଲ ଭାବରେ ବୁଝି ପାରୁଥିବ । ତେଣୁ ଏହି ଦିଗରେ କୌଣସି ଭୁଲ ହେଲେ ଭୋଟରଙ୍କ ଉପରେ ପ୍ରଭାବ ପଡିବ । ନିର୍ବାଚନ ରାଜନୀତିରେ ଏଭଳି କାର୍ଡ ଓ ତାର କାଉନଟର ରାଜନୈତିକ ଦଳମାନେ ବୁଝିବିଚାରି ପ୍ରୟୋଗ କରିଥାନ୍ତି ।