କନକ ବ୍ୟୁରୋ : ବିଜେପି ଟିକେଟ ଘୋଷଣା ହେବା ପରଠାରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ, ଆଶାୟୀଙ୍କ ବିଦ୍ରୋହ ସ୍ଥଳ ପାଲଟିଛି । ଟିକେଟ ନପାଇବାରୁ ଆଶାୟୀ ଓ ସେମାନଙ୍କ ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରତିବାଦ କରୁଛନ୍ତି । ଆଉ ଧିରେ ଧିରେ ଅସନ୍ତୋଷ ବଢ଼ୁଥିବାରୁ କେତେକ ବିଧାନସଭା ଆସନରେ ପ୍ରାର୍ଥୀଙ୍କୁ ପରବର୍ତନ କରିବା ପାଇଁ ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି ।
ଅସନ୍ତୋଷ ଓ ବିଦ୍ରୋହ ବଢ଼ିବା ପରେ ସେମାନଙ୍କୁ ଦଳ ପକ୍ଷରୁ ବୁଝାଶୁଝା କରିବା ପାଇଁ ଉଦ୍ୟମ କରାଯାଉଛି । ଏପରିକି କିଛି ଟିକେଟ ଆଶାୟୀଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିବା କୁହାଯାଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ସବୁ ଆସନରେ ପ୍ରାର୍ଥୀଙ୍କୁ ନେଇ ବିଦ୍ରୋହ ହେଉଛି, ସେହି ଆସନ ଉପରେ ତର୍ଜମା କରାଯାଉଛି । ଦଳ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟର ପୁଣି ଥରେ ସମୀକ୍ଷା କରାଯାଉଛି । ଆଉ ଯେଉଁ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା କମ୍ ରହିଛି, ତାଙ୍କ ସ୍ଥାନରେ ନୂଆ ଚେହେରାଙ୍କୁ ଦଳ ଆଣିପାରେ । ଆଲୋଚନା ହେଉଛି, ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ମଧ୍ୟରୁ ୫ରୁ ୧୦ ଜଣଙ୍କ ନାଁ ପରିବର୍ତ୍ତନ କରାଯାଇପାରେ । କିନ୍ତୁ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ବିଜେପି ରାଜ୍ୟର ସମସ୍ତ ୨୧ ସଂସଦୀୟ କ୍ଷେତ୍ର ଓ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି । ଆହୁରି ୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାକୁ ବାକି ରହିଛି । ତେଣୁ ପରବର୍ତ୍ତି ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିବ ।