ରାସ୍ତା ଉପରେ ରାଜନେତାଙ୍କ ହାଇଡ୍ରାମା । ଗାଡି ଅଟକାଇବାରୁ ନିର୍ବାଚନ ଅଧିକାରୀଙ୍କୁ ନେତାଙ୍କ ନାଲିଆଖି, କିଏ ଠିକ୍ କିଏ ଭୁଲ? ଦେଖନ୍ତୁ ପୂରା ଭିଡିଓ

2,507

କନକ ବ୍ୟୁରୋ : ପ୍ରଚାର ଆରମ୍ଭରୁ ନିର୍ବାଚନ ଅଧିକାରୀ ତଥା ସରକାରୀ ବାବୁଙ୍କୁ ନେତାଙ୍କ ନାଲିଆଖି । ହିଞ୍ଜିଳି ଆସନରୁ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ନିର୍ବାଚନ ଅଧିକାରୀ ତଥା ସରକାରୀ ବାବୁଙ୍କୁ ନାଲିଆଖି ଦେଖାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ବିଜେପି ପ୍ରାର୍ଥୀ ପୀତାମ୍ବର ଡ୍ୟୁଟିରେ ଥିବା ଅଧିକାରୀଙ୍କୁ କାହିଁକି ଗାଡି ଅଟକାଉଛ ବୋଲି କୈଫୟତ ମାଗୁଥିବାର ଦେଖିବାକୁ ମିଳିଛି ।

ଆଜି ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ହିଞ୍ଜିଳି ଯାଉଥିବା ବେଳେ ରାସ୍ତାରେ ତାଙ୍କର ଗାଡି ଅଟକାଇଥିଲେ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ । ଆଉ ଯେଉଁଥିପାଇଁ ତାତି ଉଠିଥିଲେ ପୀତାମ୍ବର । ନିର୍ବାଚନ ଅଧିକାରୀଙ୍କ ସମେତ ପୋଲିସ ଅଧିକାରୀଙ୍କୁ କାହିଁକି ତାଙ୍କ ଗାଡି ଅଟକାଇଲ ବୋଲି ପଚାରିଥିଲେ । ଏହାଛଡା ନିର୍ବାଚନ ଅଧିକାରୀଙ୍କୁ ଶାସକ ଦଳର ଚାମଚା କହିବାକୁ ପଛାଇ ନଥିଲେ ପୀତାମ୍ବର । କେବଳ ବିଜେପିର ଗାଡି ଦେଖି ଅଟକାଇବାକୁ ଆପଣଙ୍କୁ କିଏ କହିଛି? ନିର୍ବାଚନ ଅଧିକାରୀଙ୍କୁ ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ ପୀତାମ୍ବର ।

ଏହାଛଡା ଆପଣ ଅନ୍ୟ କେତେ ଜଣଙ୍କ ଗାଡି ଅଟକାଇଛ ବୋଲି ପ୍ରଶ୍ନ କରିଥିଲେ ପୀତାମ୍ବର । ମୁଁ କାହାକୁ ମାନେନି । ଡ୍ୟୁଟିରେ ଥିବା ଅଫିସରଙ୍କୁ ପଦ୍ମ ପାର୍ଟିର କହିବା ସହ ସମସ୍ତେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଥିଲେ ପୀତାମ୍ବର । ଏପରିକି ନିଜର ପରିଚୟ ଦେବାକୁ ଯାଇ କହିଥିଲେ ମୁଁ କେବଳ ବିଜେପି ପ୍ରାର୍ଥୀ ନୁହେଁ ମୁଁ ଜଣେ ଓକିଲ ମଧ୍ୟ । ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଓକିଲ ରହିଛି ଓ ଅନେକ ପୋଲିସ ବନ୍ଧୁ ମୋର ଅଛନ୍ତି ବୋଲି କହିଥିଲେ ।ଯାହାର ପୂରା ଭିଡିଓ କ୍ୟାମେରାରେ କଏଦ ହୋଇଥିଲା ।

ଗୋଟିଏ ପଟେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରିବାକୁ ନିର୍ବାଚନ କମିଶନ ଦିନ ରାତି ଏକ କରି ଦେଇଛନ୍ତି । ଏପରିକି ବିଭିନ୍ନ ପଦକ୍ଷେପ ସ୍ୱରୂପ ନେତା ଓ ଅନ୍ୟ ଗାଡି ଗୁଡିକୁ ଅଟକାଇ ଚେକିଂ କରିବାକୁ ଅଧିକାରୀ ମାନଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଯେତେବେଳେ ଡ୍ୟୁଟିରେ ଥିବା ଅଧିକାରୀ ଏହି କାର୍ଯ୍ୟ କରୁଛନ୍ତି ସେତେବେଳେ ତାଙ୍କୁ ପ୍ରଶ୍ନବାଣର ସାମ୍ନା କରିବାକୁ ପଡୁଛି । ପ୍ରଶ୍ନ ଉଠୁଛି, ଜଣେ ପ୍ରାର୍ଥୀ ହିସାବରେ ପୀତାମ୍ବର ଡ୍ୟୁଟିରେ ଥିବା ଅଫିସରଙ୍କୁ ଏଭଳି ବ୍ୟବହାର କରିବା କେତେଦୂର ସମୀଚନ । ନିର୍ବାଚନ ଅଧିକାରୀଙ୍କୁ ଏଭଳି ନାଲିଆଖି ଦେଖାଇ ପ୍ରାର୍ଥୀ ମାନେ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି । ଏଭଳି କ୍ଷେତ୍ରରେ ଭୁଲ କାହାର । ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ପ୍ରଶ୍ନ କରିବା ଭୁଲ ନା ନେତା ସହଯୋଗ ନ କରିବା ଭୁଲ? ସ୍ୱଚ୍ଛ ନିର୍ବାଚନ ପାଇଁ ପୋଲିସ ଅଧିକାରୀଙ୍କୁ ନେତାଙ୍କୁ ସହଯୋଗ କରିବାରେ ଅସୁବିଧା କେଉଁଠି ଥିଲା ତାହାକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରଶ୍ନର ପାହାଡ ଛିଡା ହୋଇଛି ।