ଜନବିରୋଧୀ ଆକ୍ଷେପକୁ ନେଇ ତାତିିଲେ ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲା ବିଜେପି । ପଚାରିଲେ, ଜନପ୍ରତିନିଧି କିପରି ହେଲେ ଜନବିରୋଧୀ

66

କନକ ବ୍ୟୁରୋ: ଜନବିରୋଧୀ କିଏ? ଆଜି ବିଧାନସଭାରେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଦଳ ଓ ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । କଂଗ୍ରେସ ମଧ୍ୟ କହିଛି, ନୋଟିସ ପୁରା ଠିକ୍ । ଏଥିଲାଗି ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଓ ଏଭଳି ଶବ୍ଦକୁ ବାଦ୍ ଦିଆଯିବାକୁ ବିରୋଧୀ ଦାବି କରିଛନ୍ତି । ସୋମବାର ଦିନ ବିରୋଧୀଙ୍କୁ ଜନବିରୋଧୀ କହିଥିଲେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାକୁ ଗ୍ରହଣ କରିନାହାନ୍ତି ବିଜେପି ଓ କଂଗ୍ରେସ । ତେବେ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଯୁକ୍ତି ବାଢିଛି ବିଜେଡି ।

ବିରୋଧୀ ଦଳକୁ ଜନବିରୋଧୀ ଆଖ୍ୟା ଦେବା ପ୍ରସଙ୍ଗକୁ ଗ୍ରହଣ କରି ପାରିନାହାନ୍ତି ବିଜେପି ଓ କଂଗ୍ରେସ ଦଳର ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ । ଜନବିରୋଧୀ କିଏ ବୋଲି ପ୍ରଶ୍ନ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଏବଂ ଏହି ଶବ୍ଦକୁ ବାଦ ଦିଆଯାଉ ବୋଲି ଦାବି କରିଛନ୍ତି ମୋହନ ମାଝୀ । ସେପଟେ ସ୍ୱାଧିକାର ଭଙ୍ଗ ନୋଟିସ୍ ସଂପୂର୍ଣ୍ଣ ଠିକ୍ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଜନପ୍ରତିନିଧିଙ୍କୁ ଜନବିରୋଧୀ କହି ଅପମାନିତ କରାଯାଇଛି ।

  • ଜନବିରୋଧୀ ଆକ୍ଷେପ ନେଇ ତାତିଲେ ବିରୋଧୀ
  • ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲା ବିଜେପି
  • ସମର୍ଥନ ଜଣାଇଲେ କଂଗ୍ରେସ ବିଧାୟକ ଦଳ ନେତା

ଗତ ୨୫ ତାରିଖରେ ମନ୍ତ୍ରୀ ବଡ଼ କି ସଚିବ ବଡ଼ ପ୍ରସଙ୍ଗ ଉଠାଇ ଗଣତନ୍ତ୍ର ଭୁଶୁଡି ଯାଇଥିବା ଅଭିଯୋଗ କରି ମୁଲତବି ପ୍ରସ୍ତାବ ଆଣିଥିଲେ ବିରୋଧୀ । ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିବା ପରେ ବିଧାନସଭାରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଏହାରି ଭିତରେ ବିଧାନସଭାରେ ନିଜ ଆଡୁ ବିବୃତି ର୍ଖିଥିଲେ ମୁଖ୍ୟମନ୍ତ୍ରୀ । ସିଏମଓକୁ ଜିଲ୍ଲା ଗସ୍ତ କରି ଜନଶୁଣାଣି କରିବାକୁ ସେ ନିର୍ଦ୍ଦେଶ ଦେଇଥିବା କହିବା ସହ ଏହା ଉପରେ ପ୍ରଶ୍ନ ଉଠାଉଥିବାରୁ ବିରୋଧୀଙ୍କୁ ଜନବିରୋଧୀ ଆଖ୍ୟା ଦେଇଥିଲେ ନବୀନ । ଏହାକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ଓ କଂଗ୍ରେସ । ତେବେ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଯୁକ୍ତି ବାଢିଛି ବିଜେଡି । ଯେଉଁମାନେ ବିକାଶର ବାଟ ଓଗାଳୁଛନ୍ତି ସେମାନେ ଜନବିରୋଧୀ ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ ।

ଆଜି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଥିବା ବେଳେ ଶୂନ୍ୟକାଳରେ ହଟ୍ଟଗୋଳ କରିଥିଲେ ବିରୋଧୀ । ପ୍ରତିବାଦ, କକ୍ଷତ୍ୟାଗ ଭିତରେ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ ବାଚସ୍ପତି । ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ୱାଭାବିକ କରିବାକୁ ବାଚସ୍ପତି ଉଦ୍ୟମ କରିଥିଲେ ବି ଏହା ସଫଳ ହୋଇ ନଥିଲା ।