କନକ ବ୍ୟୁରୋ : ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ବସିଥିବା ସର୍ବଦଳୀୟ ବୈଠକକୁ ବୟକଟ କରିଛି ବିଜେପି । ସର୍ବଦଳୀୟ ବୈଠକ ଆରମ୍ଭରୁ ହିଁ ଉଠିଗଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପିକୁ ତାର ହକ ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି ବିଷ୍ଣୁ ସେଠୀ ।ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ଓ ଉପନେତା ରହିପାରିବେ ବୋଲି କୁହାଯାଇଛି । କିନ୍ତୁ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା କାରଣରୁ ବିରୋଧୀ ଦଳ ଉପନେତା ଉପସ୍ଥିତ ରହିପାରିବେ ବୋଲି କୁହାଯାଇଛି । ଏହା ବାଦ୍ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଓ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବୈଠକରେ ସାମିଲ କରିବାକୁ ଦାବି କରିଥିଲା ବିଜେପି । ଗତ ସର୍ବଦଳୀୟ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଏଥର ବାଚସ୍ପତି ଆଗ୍ରହ୍ୟ କରିବାରୁ ବୈଠକକୁ ବୟକଟ କରିଛି ଦଳ ।ଏହାଛଡା ବିଷ୍ଣୁ ସେଠୀ କହିଛନ୍ତି, ଗଣତନ୍ତ୍ର ଏବେ ହାସ୍ୟତନ୍ତ୍ରରେ ପରିଣତ ହୋଇଗଲାଣି ।
ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକରେ ଅନେକ ଗୁଡିଏ ପ୍ରସଙ୍ଗରେ ଆଲୋଚନା ହୋଇଥାନ୍ତା । ଗୃହ କିଭଳି ସୁରୁଖୁରରେ ଚାଲିପାରିବ ସେ ବାବଦରେ ବାଚସ୍ପତି ଆଲୋଚନା କରିଥାନ୍ତେ । ଏହାଛଡା ପ୍ରଶ୍ନକାଳ ଓ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ହଟ୍ଟଗୋଳ କରିପାରିବେନି । ସର୍ବଦଳୀୟ ବୈଠକରେ ଏହି ପ୍ରସ୍ତାବକୁ ଉପସ୍ଥାପିତ କରିବା ସହ ଆଲୋଚନା କରିଥାନ୍ତେ ବାଚସ୍ପତି । ବିରୋଧୀ ଦଳଙ୍କର କଣ ଆଭିମୁଖ୍ୟ ରହୁଛି ତାହାର ମତାମତ ନେଇଥାନ୍ତେ । ଯେହେତୁ ପ୍ରଶ୍ନକାଳ ସମୟରେ ଅନେକ ସମୟରେ ହଟ୍ଟଗୋଳ ଦେଖିବାକୁ ମିଳେ ତେଣୁ ଏଥିରେ ରୋକ ଲଗାଇବାକୁ ବାଚସ୍ପତି ଉଦ୍ୟମ କରୁଛନ୍ତି । କିନ୍ତୁ ସର୍ବଦଳୀୟ ବୈଠକକୁ ବିରୋଧୀ ବିଜେପି ବୟକଟ କରିବା ପରେ କେମିତି ଆଲୋଚନା ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି ।