୨୪ ପାଇଁ ୨୨ରୁ ଚାଲ୍ । ବିଜୟ ପାଇଁ ବିଜେଡିର ‘ପଦ୍ମପୁର’ ଷ୍ଟାଇଲ୍ । ବିଜେପି କହିଲା, ଆମେ ବି ପ୍ରସ୍ତୁତ…

257

କନକ ବ୍ୟୁରୋ: ଓଡିଶାର ଦୁଇ ଦୁଇଟି ଉପ ନିର୍ବାଚନ ରାଜ୍ୟ ରାଜନୀତିକୁ ଉଷୁମ କରିଛି । ଧାମନଗର ପରେ ପଦ୍ମପୁର, ଏ ଦୁଇ ଉପନିର୍ବାଚନ ପୂରା ପଲିଟିକ୍ସର ପାଣିପାଗକୁ ଏପଟସେପଟ କରିଦେଇଛି । ଦୁଇଟି ବାଜିରେ ଦୁଇ ଦଳକୁ ଲାଭକ୍ଷତି ମିଳିଛି । ବିଜେପି- ବିଜେଡି ଜୟ-ପରାଜୟର ସ୍ୱାଦ ଚାଖିଛନ୍ତି । ଉଭୟେ ନିଜ ନିଜର ଗଡ ରକ୍ଷା କରିବାରେ ସକ୍ଷମ ହେବା ପରେ ନିଜ ଗଡରେ ନିଜର ବିଜୟ ହିଁ ଉକ୍ତ ଦଳକୁ ୨୦୨୪ରେ ଲଢିବାକୁ ଶକ୍ତି ଦେଇଛି । ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ଦୁହିଁଙ୍କ ସହ ଦମରେ ଲଢିବାକୁ ଜୋରଦାର ପ୍ରସ୍ତୁତ ଏବେଠୁ ଆରମ୍ଭ କରିଦେଇଥିବା ସଙ୍କେତ ମିଳିଲାଣି ।

ପଦ୍ମପୁର ପରେ ପରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଥିବା ବେଳେ ୨୦୨୪ରେ ସରକାର ଗଠନ ଓ ଅଧିକ ଆସନ ବିଜୟର ଦାମ୍ଭିକତା ଦେଖାଇଛନ୍ତି ୩ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ । ଆଉ ଇତି ମଧ୍ୟରେ ୨୪ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରି ଦେଇଛି । ପଦ୍ମପୁର ଷ୍ଟାଇଲରେ ନିର୍ବାଚନ ଲଢିବ ଶାସକ ଦଳ ବିଜୁ ଜନତା ଦଳ । ପଦ୍ମପୁର ଉପନିର୍ବାଚନ ଫଳାଫଳ ପରେ ଦାୟିତ୍ୱରେ ଥିବା ନେତାଙ୍କୁ ନେଇ ଆଜି ନବୀନ ନିବାସରେ ହୋଇଥିବା ବୈଠକରୁ ଆସିଛି ଏହିଭଳି କିଛି ତଥ୍ୟ ।

ତେବେ ସୂଚନା ଅନୁସାରେ ଦଳର ସମସ୍ତ ନେତାଙ୍କୁ ଏକାଠି ହେବାପାଇଁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ । ଦଳୀୟ ସଙ୍ଗଠନକୁ ମଜବୁତ କରିବା ସହ ସମସ୍ତେ ଏକାଠି ହୋଇ ନିର୍ବାଚନ ଲଢିବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ସବୁଠୁ ବଡ କଥା ହେଉଛି ୨୪ ପୂର୍ବରୁ ନିର୍ବାଚନ ହେବାର ବି ସମ୍ଭାବନା ରହିଛି । ତେଣୁ ଦଳୀୟ ନେତାଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ଜଣାପଡିଛି ।

ସେପଟେ ବିଜେପି ବି ପଛରେ ପଡିନି, ଯଦି ଆଗୁଆ ନିର୍ବାଚନ ହୁଏ ତେବେ ସେମାନେ ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ୨୦୨୩ର ଶେଷ ଭାଗରେ ଯଦି ସାଧାରଣ ନିର୍ବାଚନ ହୁଏ ତେବେ ଆମେ ପ୍ରସ୍ତୁତ ଅଛୁ । ଚାଷୀ, ମହିଳା ନିର୍ଯାତନା, ବେରୋଜଗାରୀ ଭଳି ୩ଟି ମୁଦ୍ଦାକୁ ନେଇ ଓହ୍ଲାଇବ ବିଜେପି । ତାହା ସହ ୨୦୨୪ରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ନେଇ ଯୋଜନା ପ୍ରସ୍ତୁତ ହେବ ବୋଲି ପୃଥ୍ୱୀରାଜ କହିଛନ୍ତି ।