କନକ ବ୍ୟୁରୋ : ପଂଚାୟତ ଭୋଟ ପୂର୍ବରୁ ପ୍ରଚାରକୁ ନେଇ ମୁହାଁମୁହିଁ ବିଜେପି ଓ ବିଜେଡି । ବିଭିନ୍ନ ଗଣମାଧ୍ୟମରେ କେନ୍ଦ୍ର ସରକାରଙ୍କ ଯୋଜନାର ବିଜ୍ଞାପନକୁ ପୁଣି ବିରୋଧ କରିଛି ବିଜେଡି । ନିର୍ବାଚନ କମିଶନଙ୍କୁ ଫେରାଦ ହେବା ସହ ଏଭଳି ପ୍ରଚାର ବନ୍ଦ କରିବାକୁ ଅନୁରୋଧ କରିଛି । ସେପଟେ ସମାନ ଅଭିଯୋଗ ଆଣିଛି ରାଜ୍ୟ ବିଜେପି ।

Advertisment

ଆହାର ଓ ନିରାମୟ କେନ୍ଦ୍ରରେ ନବୀନଙ୍କ ପୋଷ୍ଟରକୁ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି କହିଛି ଦଳ । ଏପଟେ ଅଭିଯୋଗ ବଢିଚାଲିଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ ବସିଛନ୍ତି ନିର୍ବାଚନ କମିଶନ ।

ବିଜେଡିର ବିରୋଧ ସତ୍ୱେ ପୁଣି ଗଣମାଧ୍ୟମରେ କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାର । ଆଜି କେତେକ ପ୍ରମୁଖ ଖବର କାଗଜରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥାଇ ପ୍ରକାଶ ପାଇଛି ଅଟଳ ଜ୍ୟୋତି ଯୋଜନାର ବିଜ୍ଞାପନ । ଏଥିରେ ଓଡିଶା ସମେତ ୫ଟି ରାଜ୍ୟରେ ସୌର ଏଲଇଡି ଷ୍ଟ୍ରୀଟ ଲାଇଟର କାର୍ଯ୍ୟାନ୍ୱୟନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ତେବେ ପଂଚାୟତ ଭୋଟକୁ ଆଖିରେ ରଖି ବିଜେପି ଏଭଳି ପ୍ରଚାର କରୁଥିବା ଅଭିଯୋଗ ଆଣିଛି ବିଜେଡି । ଆଉ ଭୋଟ ବ୍ୟାଙ୍କ ପ୍ରଭାବିତ ହେବା ଆଶଙ୍କାରେ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି ।

ସେପଟେ ବିଜେଡି ବିରୋଧରେ ସମାନ ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ପଂଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ଚାହୁଁ ନାହାନ୍ତି ସରକାର । ବିଜେଡି ନେତାଙ୍କ ପ୍ରରୋଚନାରେ ଏଯାଏଁ ବିଭିନ୍ନ ବ୍ଲକକୁ ଭୋଟର ଲିଷ୍ଟ ପଠାଯାଇ ନଥିବା ଦଳ ଅଭିଯୋଗ କରିଛି ।

ଏଥିସହ ଆହାର ଓ ନିରାମୟ କେନ୍ଦ୍ରରେ ସରକାରଙ୍କ ପକ୍ଷରୁ ନୂଆ ପୋଷ୍ଟର ମରାଯାଉଥିବା ଦଳ କହିଛି । ସରକାରୀ କାର୍ଯ୍ୟକ୍ରମ ବାହାରେ ଅଫିସରମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଥିବା ରାଜ୍ୟ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିଛି ଦଳ ।

ପଂଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ବଳବତର ଥିବାବେଳେ ରାଜନୈତିକ ଦଳଗୁଡିକ ଏହାକୁ ଉପହାସ କରୁଥିବା ପରି ମନେ ହେଉଛି । ପଂଚାୟତ ପଲିଟିକ୍ସରେ ଆଚରଣ ବିଧିର ତାମସା ଚାଲିଛି ।

ଆଉ ଏପଟେ ଗୋଟିଏ ପରେ ଗୋଟିଏ ଅଭିଯୋଗ ପହଂଚୁଛି ନିର୍ବାଚନ କମିଶନଙ୍କ ନିକଟରେ । ଏବେ ପ୍ରଶ୍ନ ଉଠୁଛି ନିଜର କ୍ଷମତା ପ୍ରୟୋଗ କରି କମିଶନ ଏସବୁ ବନ୍ଦ କରିବେ ନା ନୀରବଦ୍ରଷ୍ଟା ସାଜିବେ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :