‘କାଳିଆ’କୁ ନେଇ ମୁହାଁମୁହିଁ ବିଜେଡି-ବିଜେପି ! ସସ୍ମିତ ପାତ୍ର କହିଲେ, ଚାଷୀଙ୍କ ପେଟରେ ନାତ ମାରିବାକୁ ବିଜେପି କରୁଛି ଯୋଜନା । 

134

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଲୋକପ୍ରିୟ ‘କାଳିଆ’ ଯୋଜନାରେ ଅସହିଷ୍ଣୁ ହୋଇଯାଇଥିବା ବିଜେପି ଏବେ ହୀନ ରାଜନୀତି ପାଇଁ ଚାଷୀଙ୍କ ପେଟରେ ନାତ ମାରିବାକୁ ଉଦ୍ୟମ କରୁଛି ବୋଲି ବିଜୁ ଜନତା ଦଳ ସମାଲୋଚନା କରିଛି । ଆଜି ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ‘କାଳିଆ’ ଯୋଜନା ଏବଂ ୪୦ ଲକ୍ଷ ଚାଷୀ ଏଥିରେ ଉପକୃତ ହେଉଥିବାରୁ ତାକୁ ନେଇ ଆପତ୍ତି ଉଠାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦଳର ମୁଖପାତ ସସ୍ମିତ୍ ପାତ୍ର କହିଛନ୍ତି । ସେ କହିଛନ୍ତି, ‘କାଳିଆ’ ଯୋଜନାରେ ଇର୍ଷାନ୍ୱିତ ବିଜେପି ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ନିମ୍ନସ୍ତରକୁ ଚାଲିଯାଇଛି ।

ଚାଷୀମାନେ ସରକାରୀ ସହାୟତା ପାଇବା ବିଜେପି ନେତାମାନଙ୍କୁ ଅସହ୍ୟ ହୋଇଛି । ରାଜ୍ୟର ଚାଷୀ ଭାଇ ଓ ସେମାନଙ୍କ ପରିବାର ବିଜେପିର ଏ ହୀନ ରାଜନୀତିକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି ବୋଲି ସସ୍ମିତ କହିଛନ୍ତି । ‘କାଳିଆ’ ଯୋଜନା ସମ୍ପର୍କରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଯେଉଁ ସୂଚନା ଦେଇଛନ୍ତି ତାହା ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ କରୁନାହିଁ । ଏଭଳି ସୂଚନା ପ୍ରଦାନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ଥିବା ବେଳେ ବିଜେପି ଏହାକୁ ପ୍ରସଙ୍ଗ କରି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ବିଜେପିର ଚାଷ ଓ ଚାଷୀ ବିରୋଧୀ ଆଭିମୁଖ୍ୟକୁ ଏହା ପଦାରେ ପକାଇ ଦେଇଛି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।