କନକ ବ୍ୟୁରୋ: ଅଣ୍ଡାମାଡ ନେଇ ଜମା ଥମୁନି ରାଜନୀତି । ବେଶ କିଛି ଦିନ ହେବ ନେତାମନ୍ତ୍ରୀଙ୍କୁ ଅଣ୍ଡାମାଡ ହେଉଥିବା ବେଳେ ଅଣ୍ଡାମାଡ ରାଜନୀତି ନେଇ କାଦୁଅ ଫୋପଡା ଫୋପଡି ହୋଇଛନ୍ତି ବିଜେପି-ବିଜେଡି । ଅଣ୍ଡାମାଡ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆହ୍ୱାନ ଦେବା ପରେ ପ୍ରଣବଙ୍କ ଟ୍ୱିଟର ଜବାବ ରଖିଛନ୍ତି ଜୟନାରାୟଣ ।
ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟୁଇଟର ଜବାବ ରଖିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର । ପାଲଟା ଟୁଇଟ୍ କରି କଟାକ୍ଷ କରିଛନ୍ତି ଜୟନାରାୟଣ । ଜଗନ୍ନାଥଙ୍କ ପ୍ରତି ବିଜେଡିର ଶ୍ରଦ୍ଧା ଉପରେ ପ୍ରଶ୍ନ ଉଠାଇଛନ୍ତି । ବିଗତ ଦିନରେ ମହାପ୍ରଭୁଙ୍କ ରଥଯାତ୍ରାକୁ ବନ୍ଦ କରିବା ପାଇଁ ବିଜେଡି ଓ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି କାହା ପ୍ରଚେଷ୍ଟାରେ ରଥଯାତ୍ରା ହୋଇଥିଲା, ତାହା ରାଜ୍ୟବାସୀ ଜାଣିଛନ୍ତି ବୋଲି କହିଛନ୍ତି ଜୟନାରାୟଣ ।
ରତ୍ନଭଣ୍ଡାର ଚାବି ନେଇ ଏବେ ବି ଲୋକଙ୍କ ଭିତରେ ସନ୍ଦେହ ରହିଥିବା କହିଛନ୍ତି ସମ୍ବଲପୁର ବିଧାୟକ । ଆଇନ ମନ୍ତ୍ରୀଙ୍କ ପାଖରେ ମଧ୍ୟ ଏ ନେଇ ଉତ୍ତର ନାହିଁ ବୋଲି କଟାକ୍ଷ କରିବା ସହ ମମିତା ହତ୍ୟା ମାମଲାକୁ ମଧ୍ୟ ଏଥିରେ ଯୋଡିଛନ୍ତି । ମାଆ ସୁଭଦ୍ରା ଓ ମାଆ ଲକ୍ଷ୍ମୀଙ୍କ ଗୁରୁତ୍ୱ ବୁଝିଥିଲେ, ମମିତା ହତ୍ୟା ଷଡ଼ଯନ୍ତ୍ରକାରୀଙ୍କୁ ମୁଖ୍ୟମନ୍ତ୍ରୀ ପାଖରେ ବସାଇ ନଥାନ୍ତେ ବୋଲି ସେ କହିଛନ୍ତି । ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେବା ବଦଳରେ ଦଳର ମୁଖିଆଙ୍କୁ ବୁଝାଇବା ପାଇଁ ପ୍ରଣବଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ବିଜେପି ବିଧାୟକ ।
ତେବେ ପୂର୍ବରୁ ପ୍ରଣବ ପ୍ରକାଶ ଦାସ ବିଜେପିକୁ ଅଣ୍ଡାମାଡର ନିଶାନା କରିଥିଲେ । ଟୁଇଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏନେଇ ଜଣାଇଥିଲେ । ପ୍ରଣବ ଟୁଇଟ କରି ଲେଖିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ସାରି ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରେ ଅଣ୍ଡାମାଡ଼ କରିବା ନିନ୍ଦନୀୟ । ଏ ନେଇ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେବାକୁ ଧର୍ମେନ୍ଦ୍ରଙ୍କୁ ଅନୁରୋଧ କରିଛନ୍ତି ବିଜେଡିର ସାଂଗଠନିକ ସଂପାଦକ । ପ୍ରଣବ ଲେଖିଛନ୍ତି, ଓଡ଼ିଶାବାସୀଙ୍କ ବିଶ୍ୱାସ ରହିଛି, ଯିଏ ଜଗନ୍ନାଥଙ୍କ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି, ତାଙ୍କ ପାଦ ଧରି ନମସ୍କାର କରାଯାଏ, କାରଣ ତାଙ୍କ ପାଦ ଶରଧାବାଲିରେ ଲାଗିଥାଏ । କିନ୍ତୁ ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଅଣ୍ଡାମାଡ଼ କରିବା ବା ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଦ୍ୱାରା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ମର୍ମାହତ କରିଛି ।