ବିଜେଡି ସାଂସଦ ଭର୍ତ୍ତୃହରିଙ୍କୁ ନେଇ ବିବାଦ । ଟୁଇଟରରେ ମୁହାଁମୁହିଁ ହେଲେ ପ୍ରଣବ ପ୍ରକାଶ ଦାଶ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।

274

କନକ ବ୍ୟୁରୋ: ଭର୍ତ୍ତୃହରିଙ୍କୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ନୂଆ ବିବାଦ । ପ୍ରଜାତନ୍ତ୍ରର ବିଷୁବ ମିଳନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ବୟାନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଭର୍ତ୍ତୃହରି ଭଳି ସାଂସଦଙ୍କୁ ବିଜେଡି ଠିକରେ ଉପଯୋଗ କରିପାରୁ ନାହିଁ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ପୂର୍ବରୁ ହରେକୃଷ୍ଣ ମହତାବ ପ୍ରସଙ୍ଗ ଓ ଦିଲ୍ଲୀରେ ପ୍ରଶଂସା ପଲିଟିକ୍ସରେ ସଂଜମତା ଦେଖାଇଥିବା ବିଜେଡି କିନ୍ତୁ ନିଜ ଦଳୀୟ ପ୍ରସଙ୍ଗରେ ବାହାର ଟିପ୍ପଣୀକୁ ବରଦାସ୍ତ କରିପାରି ନାହିଁ । ଯାହା ଫଳରେ ଟୁଇଟ୍ କରି କେନ୍ଦ୍ରମନ୍ତ୍ରୀଙ୍କୁ କଲମ୍ବସ କହିଛନ୍ତି ପ୍ରଣବ ପ୍ରକାଶ ଦାସ । ଆଉ ତାହାର ଜବାବ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ଦିଲ୍ଲୀରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟକ ସାଂସଦ ଭର୍ତ୍ତୃହରିଙ୍କ ପ୍ରଶଂସା ଏବଂ କଟକରେ ଭର୍ତ୍ତୃହରି ମହତାବଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା ଯାଏଁ ସବୁ କିଛି ଠିକ୍ ଥିଲା । ସେତେବେଳେ କଥା ଓଡ଼ିଶାର ଇତିହାସ ଏବଂ ହରେକୃଷ୍ଣ ମହାତାବଙ୍କ ଅବଦାନ ଭିତରେ ସୀମିତ ଥିଲା । କିନ୍ତୁ ଯେତେବେଳେ ଦଳରେ ନେତାଙ୍କୁ ଗୁରୁତ୍ୱ ଦେବା ନ’ ଦେବାର କଥା ଆସି ଯାଇଛି ଏବଂ ବ୍ୟକ୍ତିତ୍ୱ ବାହାରେ କଥା ଦଳକୁ ଭିତରକୁ ଆସିଛି, ଏହାକୁ ନେଇ ଏକ ନୂଆ ରାଜନୈତିକ ଝକାପଞ୍ଝା ଆରମ୍ଭ ହୋଇଛି ।

ପ୍ରଜାତନ୍ତ୍ରର ବିଷୁବ ମିଳନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ରଖିଥିବା ବୟାନକୁ ନେଇ ଚିହିଁକି ଉଠିଛି ବିଜେଡି । ଯାହାପରେ ଟ୍ୱିଟ୍ କରି ବିଜେଡି ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲେଖିଛନ୍ତି- କଲମ୍ବସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି ଧର୍ମେନ୍ଦ୍ର । ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେହିଭଳି ସଦୁପଯୋଗ କରନ୍ତୁ କେନ୍ଦ୍ରମନ୍ତ୍ରୀ । କାରଣ ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ ।

ପ୍ରଣବ ପ୍ରକାଶ ଦାସଙ୍କ ଟୁଇଟର କିଛି ଘଂଟା ପରେ ଧର୍ମେନ୍ଦ୍ରଙ୍କ ସୁରକ୍ଷାରେ ବାହାରି ଆସିଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଆଉ ପାଲଟା ଟୁଇଟ୍ କରି ସମ୍ବିତ ପାତ୍ର ଲେଖିଥିଲେ- ମହତାବଙ୍କ ନାଁ ଶୁଣି ସେ ଏତେ ଅସହିଷ୍ଣୁ କାହିଁକି? ଭର୍ତ୍ତୃହରିଙ୍କ ଉଦ୍ୟମ ଯୋଗୁଁ ୨୬ ନଭେମ୍ବରକୁ ଦେଶ ସମ୍ବିଧାନ ଦିବସ ଭାବରେ ପାଳନ କରୁଛି । ତାଙ୍କ ଯୋଗଦାନକୁ ଦଳମତ ନିର୍ବିଶେଷରେ ସମସ୍ତେ ପ୍ରଂଶସା କରୁଛନ୍ତି । ମହତାବ ଓଡିଆ ଲୋକ ଓ ଆପଣଙ୍କ ଦଳର । ଆପଣ ଖୁସି ହେବା ବଦଳରେ କାହିଁକି ରାଗୁଛନ୍ତି? ଖାଲି ସେତିକି ନୁହେଁ ବବି ଦାସଙ୍କ କଲମ୍ବସ ମନ୍ତବ୍ୟ ଉପରେ ସମ୍ବିତ ଲେଖିଛନ୍ତି, ଧର୍ମେନ୍ଦ୍ର କଲମ୍ବସ ନୁହଁନ୍ତି । ସେ ଓଡିଶାର ବିକାଶ ପାଇଁ ଗୁଣ୍ଡୁଚି ମୂଷା ଭଳି କାମ କରୁଛନ୍ତି ।

ବିଜେଡି ଓ ବିଜେପି ନେତାଙ୍କ ଏହି ବୟାନବାଜି ଭିତରେ କିନ୍ତୁ ଦିଲ୍ଲୀରେ ଯେତେବେଳେ ହରେକୃଷ୍ଣ ମହାତାବଙ୍କ ପୁସ୍ତକ ଓଡ଼ିଶା ଇତିହାସର ହିନ୍ଦୀ ଅନୁବାଦ ପୁସ୍ତକ ଲୋକାର୍ପିତ ହେଉଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ବି ଭର୍ତୃହରିଙ୍କୁ ପ୍ରଶଂସା କରିଥିଲେ ।