ନେତାଙ୍କ ସର୍ଜିକାଲ ଷ୍ଟ୍ରାଇକ ମୁଡ! ସମୟ କମ, ଟାର୍ଗେଟ ଅଧିକ ।

ନିର୍ବାଚନ ପାଇଁ କମର କଷିଲେଣି କମାଣ୍ଡର ! ମିଶନ-୧୯ ପାଇଁ ଦଳୀୟ ସିପାହୀଙ୍କ ମନରେ ଜୋଶ ଭରୁଛନ୍ତି ଦଳୀୟ ସେନାପତି

352

କନକ ବ୍ୟୁରୋ:ହାଓ ଇଜ୍ ଦ ଜୋଶ । ହାଇ ସାର୍ । ଉରି ଫିଲ୍ମର ଏହି ଡାଇଲଗ ଏବେ ପ୍ରତି ଦେଶବାସୀଙ୍କ ମୁହଁରେ । କୌଣସି ମିଶନକୁ ଯିବା ପୂର୍ବରୁ କମାଣ୍ଡର ଏଭଳି କହି ସୈନିକ ମାନଙ୍କ ମଧ୍ୟରେ ଜୋଶ ଭରିଥାନ୍ତି । ଆଉ ସୈନିକ ମାନଙ୍କ ଏହି ଜୋଶ ହିଁ ମିଶନକୁ ସଫଳ କରିଥାଏ । ତେବେ ଏହି ଡାଇଲଗ ଅଧିକାଂଶ ସମୟରେ ସେନା କ୍ୟାମ୍ପରେ ଶୁଣିବାକୁ ମିଳିଥାଏ । କିନ୍ତୁ ଏବେ ଏହାର ଝଲକ ବିଭିନ୍ନ ରାଜନୈତିକ ସଭାରେ ଦେଖିବାକୁ ମିଳୁଛି । ୨୦୧୯ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ଦଳୀୟ ସୈନିକ ତଥା କର୍ମୀଙ୍କ ମନରେ ଏଭଳି ଜୋଶ ଭରିଦେଉଛନ୍ତି ଦଳର କମାଣ୍ଡର ।

ନିର୍ବାଚନ ପାଖେଇ ଆସିବା ସହ ଏବେ ରାଜ୍ୟରେ ନିର୍ବାଚନୀ ତାତି ମଧ୍ୟ ବଢି ଚାଲିଛି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଏବେ ମିଶନ ୨୦୧୯ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ୨୦୧୯ରେ ଶାସନ କ୍ଷମତା କିଭଳି ହାସଲ କରାଯିବ ସେନେଇ ଉରୀ ଫିଲ୍ମ ଭଳି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ୩ ପ୍ରମୁଖ ରାଜନୈତିକ ଦଳର କମାଣ୍ଡର । ଦିଲ୍ଲୀରୁ କମାଣ୍ଡର ପଲ୍ଲୀକୁ ଆସୁଛନ୍ତି, ଆଉ ପଲ୍ଲୀରୁ କମାଣ୍ଡର ଦିଲ୍ଲୀକୁ ଯାଉଛନ୍ତି କେବଳ ମିଶନ ୨୦୧୯ ଆସନ ପାଇଁ ।

ଦୀର୍ଘ ୧୯ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ୨୦୧୯ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ସହ ନିର୍ବାଚନୀ ମୈଦାନକୁ ମଧ୍ୟ ଓହ୍ଲାଇସାରିଛି । ୨୦୧୯ ନିର୍ବାଚନରେ ବିଜୟୀ ହେବା ପାଇଁ ଗ୍ରାମାଞ୍ଚଳର ଭୋଟରଙ୍କ ଉପରେ ଫୋକସ କରିଛି ବିଜେଡି । ଖାସ୍ ସେଥିପାଇଁ କାଳିଆ ଯୋଜନାର ଘୋଷଣା କରି ଚାଷୀଙ୍କ ମଧ୍ୟରେ ଜୋଶ ଭରିଛନ୍ତି ଦଳର ସେନାପତି ନବୀନ । ଚାଷ କାର୍ଯ୍ୟରେ ସହାୟତା ପାଇଁ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇ ନିର୍ବାଚନ ପୂର୍ବରୁ ବଡ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ନବୀନ । କେବଳ ଚାଷୀ ନୁହେଁ ବରଂ ମହିଳା ସଶକ୍ତିକରଣ ସମାବେଶ ମାଧ୍ୟମରେ ମହିଳା ମାନଙ୍କ ମନରେ ଜୋଶ ଭରିଛନ୍ତି ବିଜେଡି କମାଣ୍ଡର । କେବଳ କମାଣ୍ଡର ଭାବେ ନବୀନ କମାଣ୍ଡ ଦେଇନାହାନ୍ତି ବରଂ ମହିଳାଙ୍କ ପରାମର୍ଶ ମଧ୍ୟ ଗ୍ରହଣ କରିଛନ୍ତି । କେବଳ ଏତିକି ନୁହେଁ ଯୁବ ଓ ଛାତ୍ର ସମାବେଶ ମାଧ୍ୟମରେ ଯୁବ ସିପାହୀଙ୍କ ମଧ୍ୟରେ ଜୋଶ ଭରିବାକୁ ଭୁଲିନାହାନ୍ତି ନବୀନ । ଯାହା କମାଣ୍ଡର ଭାବେ ନବୀନଙ୍କୁ ମିଶନ ୨୦୧୯ ରେସରେ ଆଗରେ ରଖିଛି ।

କେବଳ ବିଜେଡି କ୍ୟାପଟେନ ଯେ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ତାହା ନୁହେଁ ବରଂ ଶୀର୍ଷ ଲଢେଇ ପାଇଁ ବିଜେପି ମଧ୍ୟ କମର କଷିଛି । ହିନ୍ଦୀ ଭାଷୀ ରାଜ୍ୟରେ ପଦ୍ମ ଝାଉଁଳି ପଡିବା ପରେ ଏବେ ବିଜେପି ସେନାପତିଙ୍କ ଫୋକସରେ ରହିଛି ଓଡିଶା । ଯେଉଁଥିପାଇଁ ବିଜେପିର ଶୀର୍ଷ କମାଣ୍ଡର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଗୋଟିଏ ମାସ ମଧ୍ୟରେ ୩ ଥର ଓଡିଶା ଗସ୍ତରେ ଆସିଛନ୍ତି । ଆଉ ଏହି ୩ଟି ସମାବେଶରେ କର୍ମୀ ମାନଙ୍କ ମଧ୍ୟରେ ଜୋଶ ଭରିବା ପାଇଁ ବିରୋଧୀ ତଥା ରାଜନୈତିକ ଶତ୍ରୁ ଦଳ ଉପରେ ପ୍ରବଳ ବର୍ଷିଛନ୍ତି ମୋଦି । ଏପରିକି ଜାତୀୟ ସ୍ତରର ପାରମ୍ପରିକ ପ୍ରତିଦ୍ୱନ୍ଦୀ କଂଗ୍ରେସକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ମୋଦି । ତେବେ ବିଜେଡି ପ୍ରତି ମୋଦିଙ୍କର ନରମ ଆଭିମୁଖ୍ୟ ନିଶ୍ଚିତ ଭାବେ ବିଜେପି ସିପାହୀଙ୍କୁ ନିରାଶ କରିଛି । ଯାହା ୨୦୧୯ରେ ବିଜେପିର ମିଶନ-୧୨୦ ଉପରେ ପ୍ରଭାବ ପକାଇବ ନିଶ୍ଚୟ । ଆଉ ଏସବୁ ଭିତରେ ଆସନ୍ତାକାଲି କର୍ମୀଙ୍କ ମନରେ ଜୋଶ ଭରିବାକୁ ଖୋଦ ଓଡିଶା ଆସୁଛନ୍ତି ଦଳର ସେନାପତି ଅମିତ ଶାହା ।

ଆଉ ଏହି ମିଶନ ୨୦୧୯ ରେସରେ କଂଗ୍ରେସ କମାଣ୍ଡର ଡେରିରେ ଏଣ୍ଟ୍ରି ମାରିଥିଲେ ମଧ୍ୟ ପ୍ରଥମରୁ ଉଭୟ ବିଜେଡି ଓ ବିଜେପି ଉପରେ ହମଲା କରି ଦଳୀୟ ସିପାହୀଙ୍କ ମନୋବଳ ବୃଦ୍ଧି କରିଛନ୍ତି । ଏହାଛଡା ଶବ୍ଦ ବାଣରେ ଉଭୟ ବିଜେଡି ଓ ବିଜେପିକୁ କ୍ଷତାକ୍ତ କରିବାକୁ ଭୁଲିନାହାନ୍ତି ନୂଆ କରି କଂଗ୍ରେସ ସେନାପତି ସାଜିଥିବା ରାହୁଲ ଗାନ୍ଧି । ଆଉ ରାହୁଲଙ୍କ ଏଭଳି ଆଟାକିଙ୍ଗ ଅନ୍ଦାଜକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି ଦଳୀୟ ସିପାହୀ । ଓଡିଶାରେ ଶୋଇ ରହିଥିବା କଂଗ୍ରେସର ସିଲ୍ପିଂ ସେଲର ସିପାହୀ ମାନେ ଏବେ ରାହୁଲଙ୍କ କମାଣ୍ଡ ପାଇବା ପରେ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ତେଣୁ ଆଗାମୀ ଦିନରେ ୩ ଦଳର କମାଣ୍ଡର ଦେଇଥିବା କମାଣ୍ଡକୁ ସିପାହୀ ମାନେ କେଉଁଭଳି ଭାବେ ଗ୍ରହଣ କରୁଛନ୍ତି ଓ ନିର୍ବାଚନ ଯୁଦ୍ଧରେ କିଏ ବାଜି ମାରୁଛି ତାହା ଦେଖିବା ବାକି ରହିଲା ।