ବଡ଼ ଲଢ଼େଇ ପାଇଁ ମୈଦାନ ପ୍ରସ୍ତୁତ । ୫ ଲୋକସଭା ପାଇଁ ଚେହେରା ସ୍ପଷ୍ଟ । 

714

କନକ ବ୍ୟୁରୋ: ୨୪ ଲଢେଇ ପାଇଁ ୩ ପ୍ରମୁଖ ଦଳଙ୍କ ପ୍ରାର୍ଥୀ ଘୋଷଣା ପରେ ୫ଟି ଲୋକସଭା ଆସନରେ ଚେହେରା ସ୍ପଷ୍ଟ ହୋଇଛି । ସୁନ୍ଦରଗଡ଼, ନବରଙ୍ଗପୁର, କନ୍ଧମାଳ, କଳହାଣ୍ଡି ଏବଂ କୋରାପୁଟ ସଂସଦୀୟ କ୍ଷେତ୍ର ଏଥର ବଡ ଲଢେଇ ହେବ । ସୁନ୍ଦରଗଡ଼ରେ ଜୁଏଲ ଓରାମ, ଦିଲ୍ଲୀପ ତିର୍କୀ ଓ ଜନାର୍ଦ୍ଦନଙ୍କ ମଧ୍ୟରେ ହେବ କଡା ଟକ୍କର । ସେହିପରି ନବରଙ୍ଗପୁରରେ ଜନତା ଦେଖିବେ ମାଝୀ ବନାମ ମାଝୀ ଫାଇଟ୍ ।

  • ବଡ଼ ଲଢ଼େଇ ପାଇଁ ମୈଦାନ ପ୍ରସ୍ତୁତ
  • ୫ ଲୋକସଭା ପାଇଁ ଚେହେରା ସ୍ପଷ୍ଟ

ବିଜେପି ଓ ବିଜେଡି ପରେ କାର୍ଡ ଖୋଲିଛି କଂଗ୍ରେସ । ୮ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ, ୫ଟି ଲୋକସଭା ଆସନରେ ତିନି ଦଳର ଚେହେରା କିଏ ତାହା ସ୍ପଷ୍ଟ ହୋଇଛି । ସୁନ୍ଦରଗଡ଼ ସହ ନବରଙ୍ଗପୁର, କନ୍ଧମାଳ, କଳହାଣ୍ଡି ଏବଂ କୋରାପୁଟ ଆସନ ପାଇଁ ପ୍ରସ୍ତୁତ ହୋଇସାରିଛି ମୈଦାନ ।

ସୁନ୍ଦରଗଡ଼ ଆସନରେ ଜୁଏଲ ବନାମ ଦିଲ୍ଲୀପ ଲଢ଼େଇ ଭିତରେ ଟକ୍କର ନେବାକୁ ପ୍ରସ୍ତୁତ କଂଗ୍ରେସର ଜନାର୍ଦ୍ଦନ ଦେହୁରୀ । ଯଦିଓ ସୁନ୍ଦରଗଡରୁ ୫-୫ଥର ସାଂସଦ ହୋଇଥିବା ଜୁଏଲଙ୍କ ଦବଦବା ରହିଛି, ତଥାପି ପଡ଼ିଆରେ ବିରୋଧୀଙ୍କୁ ମାତ୍ ଦେବାରେ ମାହିର୍ ଥିବା ଦିଲ୍ଲୀପ ତିର୍କୀ, ଲଢ଼େଇର ମୋଡ଼ ବଦଳାଇ ଦେବାକୁ ସକ୍ଷମ । ଏପଟେ ଜନାର୍ଦ୍ଦନ ଦେହୁରୀଙ୍କ ଏଣ୍ଟ୍ରି ଭୋଟ୍ ଗଣିତକୁ ଗଡ଼ବଡ଼ କରିବା ପାଇଁ ଯଥେଷ୍ଟ ବୋଲି କୁହାଯାଉଛି ।ନବରଙ୍ଗପୁର ୨୦୨୪ ଦେଖିବ ମାଝୀ ବନାମ ମାଝୀ ଲଢ଼େଇ । ବିଜେଡିର ପ୍ରଦୀପ ମାଝୀଙ୍କୁ ଓ ବିଜେପିର ବଳଭଦ୍ର ମାଝୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବାକୁ ଭୁଜବଳ ମାଝୀଙ୍କୁ ପ୍ରସ୍ତୁତ କରିଛି କଂଗ୍ରେସ । ଗତ ୩ଟି ନିର୍ବାଚନର ଇତିହାସ କହୁଛି କୌଣସି ନା କୌଣସି ମାଝୀଙ୍କ ହାତରେ ରହିଛି ନବରଙ୍ଗପୁୁର ସଂସଦୀୟ କ୍ଷେତ୍ରର ଶାସନ ଡୋରି । ୨୦୦୯ରେ କଂଗ୍ରେସରୁ ଜିତିଥିବା ପ୍ରଦୀପ ମାଝୀ ଏବେ ବିଜେଡି ପ୍ରାର୍ଥୀ । ୨୦୧୪ରେ ବିଜେଡିରୁ ଜିତିଥିବା ବଳଭଦ୍ର ମାଝୀ ଏବେ ବିଜେପି ପ୍ରାର୍ଥୀ । ଆଉ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀ ଏହି ଦୁଇ ଜଣଙ୍କୁ ଟକ୍କର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

 

କନ୍ଧମାଳ ଲୋକସଭା ଆସନ ପାଇଁ ତିନି ଦଳର ଚେହେରା ସ୍ପଷ୍ଟ ହୋଇଛି । କନ୍ଧମାଳ ଆସନରେ ପୁଣି ଥରେ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଗତ ନିର୍ବାଚନରେ ୧୪ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଥିବା ଅଚ୍ୟୁତଙ୍କ ଉପରେ ଦଳ ପୁଣି ଥରେ ବିଶ୍ୱାସ କରିଛି । ତେବେ ଲଢ଼େଇ ଏତେ ସହଜ ହୋଇନପାରେ । କାରଣ, ବିଜେଡି ପ୍ରାର୍ଥୀଙ୍କ ବିରୁଦ୍ଧରେ ବିଜେପି ସୁକାନ୍ତ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଅମୀର ଚାନ୍ଦ ନାୟକଙ୍କୁ ମୈଦାନକୁ ଓହ୍ଲାଇଛି ।

୨୦୨୪ ଲଢ଼େଇ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ବଦଳାଇଛନ୍ତି । ଭକ୍ତଦାସଙ୍କ ସ୍ଥାନରେ ଏଥର କଂଗ୍ରେସ ଦ୍ରୌପଦୀ ମାଝୀଙ୍କୁ ମୈଦାନକୁ ଓହ୍ଲାଇଛି । ବିଜେପି ମଧ୍ୟ ବସନ୍ତ ପଣ୍ଡାଙ୍କ ସ୍ଥାନରେ ରାଜ ପରିବାର ସଦସ୍ୟା ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି ।  ଆଉ ବିଜେଡି ପୁଷ୍ପେନ୍ଦ୍ରଙ୍କ ସ୍ଥାନରେ ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରିଛି । ଉଭୟ ବିଜେପି ଓ କଂଗ୍ରେସ ମହିଳା କାର୍ଡ ଖେଳିଥିବା ବେଳେ ବିଜେଡି ଲମ୍ବୋଦର ନିଆଲଙ୍କୁ ସୁଯୋଗ ଦେଇଛି ।ଗତ ନିର୍ବାଚନରେ ଯଦିଓ ସପ୍ତଗିରି ଉଲାକାଙ୍କ ବିଜୟ ବ୍ୟବଧାନ ସେତେ ବଡ଼ ନଥିଲା । ତଥାପି ମୋଦୀ ଓ ନବୀନଙ୍କ ଲୋକପ୍ରିୟତାକୁ ଟକ୍କର ଦେଇ କୋରାପୁଟ ଆସନ ଜିତି ନେଇଥିଲା କଂଗ୍ରେସ । ଏଥର ବି ସପ୍ତଗିରିଙ୍କ ଉପରେ ଭରସା କରିଛି କଂଗ୍ରେସ । ଆଉ ତାଙ୍କ ବିରୁଦ୍ଧରେ ବିଜେପି କାଳିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ପୁଣିଥରେ କୌଶଲ୍ୟା ହିକକାଙ୍କ ଉପରେ ଭରସା କରିଛି ।