ମେଣ୍ଟ ସସପେନ୍ସ: ଶାହାଙ୍କ ଘରେ ଜରୁରୀ ବୈଠକ । ଆଜି ଛିଣ୍ଡିପାରେ ଅଛିଣ୍ଡା ଅଙ୍କ ।

202

କନକ ବ୍ୟୁରୋ: ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଲା ବଡ ଖବର । ଆଜି ଛିଣ୍ଡି ପାରେ ମେଣ୍ଟ ଗଣିତ । ଆସନ ଭାଗବଣ୍ଟାକୁ ନେଇ ଲାଗି ରହିଥିବା ଅଛିଣ୍ଡା ଅଙ୍କ ଆଜି ଛିଣ୍ଡିବା ନେଇ ବଢିଲା ସମ୍ଭାବନା । କାରଣ ଦିଲ୍ଲୀ ସ୍ଥିତ ଅମିତ ଶାହାଙ୍କ ବାସଭବନରେ ବସିଛି ଜରୁରୀ ବୈଠକ ।

ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜୟପାଲ ସିଂ ତୋମାର ଉପସ୍ଥିତ ଅଛନ୍ତି । ତେଣୁ ବିଜେପି- ବିଜେଡି ମେଣ୍ଟ ନେଇ ଚୂଡାନ୍ତ ନିଷ୍ପତ୍ତି ଆଜି ହୋଇପାରେ । ଆସନ୍ତାକାଲି ଏନଡିଏ ବୈଠକ ଥିବାରୁ ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ମେଣ୍ଟ ନିଷ୍ପତ୍ତି ଆସିପାରେ ବୋଲି ସମ୍ଭାବନା ଘନେଇଲା ।

ତେବେ ମେଣ୍ଟ ନେଇ ଗତ ୭ ଦିନ ହେବ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ କୌଣସି ସ୍ପଷ୍ଟ ଚିତ୍ର ଆସିପାରୁନି । ନେତାଙ୍କ ପ୍ରତିକ୍ରିୟା ଏବଂ ଭିନ୍ନ ଭିନ୍ନ ମନ୍ତବ୍ୟ ରାଜନୀତିର ହଟ୍ ଟପିକ୍ ସାଜିଥିବା ବେଳେ ଗଣମାଧ୍ୟମର ହେଡଲାଇନରେ ନିଇତି ରହୁଛି ମେଣ୍ଟ କଥା । ଆଉ ଏହି ଚର୍ଚ୍ଚା, ଆଲୋଚନା, ଆଶଙ୍କା, ସମ୍ଭାବନା ଭିତରେ ଆଜି ମେଣ୍ଟ କଥା ଫାଇନାଲ ହେବା ନେଇ ଶାହାଙ୍କ ଘରେ ବସିଥିବା ବୈଠକ ଖୋରାକ୍ ଯୋଗାଇଛି । ଏବେ ଅପେକ୍ଷା ଦିଲ୍ଲୀର ନିଷ୍ପତ୍ତି ଉପରେ ।