ସେମିଫାଇନାଲରେ ବିଜେପିର ବଡ଼ ବିଜୟ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଗଢ଼ିବ ସରକାର । ତେଲେଙ୍ଗାନାରେ ଚାଲିବ କଂଗ୍ରେସ ରାଜ୍ ।

109

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲରେ ସମସ୍ତଙ୍କୁ ଚମକାଇ ଦେଲା ବିଜେପି । ୪ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୩-୧ରେ ବାଜିମାତ କରିଛି । ହିନ୍ଦି ହାର୍ଟଲ୍ୟାଣ୍ଡରେ ବିଜେପି ତିନି ତିନିଟି ରାଜ୍ୟରେ ଚମକ୍ରାର ବିଜୟ ହାସଲ କରିଛି । ମଧ୍ୟପ୍ରଦେଶର କ୍ଷମତା ବଜାୟ ରଖିଥିବା ବେଳେ କଂଗ୍ରେସ ହାତରୁ ରାଜସ୍ଥାନ ଓ ଛତିଶଗଡ ଛଡାଇ ନେଇଛି । ତେଲେଙ୍ଗାନାରେ କେବଳ କଂଗ୍ରେସ କ୍ଷମତାକୁ ଫେରିଛି । ମଧ୍ୟପ୍ରଦେଶରେ ମୋଟ ୨୩୦ ଆସନରୁ ବିଜେପି ୧୬୩ଟିରେ ବିଜୟୀ ବୃହତ ଦଳ ଭାବେ ଉଭା ହୋଇଛି । କଂଗ୍ରେସ ୬୬ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି ।

ସେହିପରି ରାଜସ୍ଥାନର ୧୯୯ ଆସନରୁ ବିଜେପି ୧୧୫ ଆସନରେ ବିଜୟୀ ହୋଇଥିଲା ବେଳେ କଂଗ୍ରେସ ୭୦ ଆସନ ଓ ଅନ୍ୟାନ୍ୟ ୧୪ ଆସନରେ ବିଜୟୀ ହୋଇଛନ୍ତି । ଛତିଶଗଡରେ ମୋଟ ୯୦ ବିଧାନସଭା ଆସନରୁ ବିଜେପି ୫୪ ଆସନ, କଂଗ୍ରେସ ୩୫ ଆସନ ଓ ଅନ୍ୟାନ୍ୟ ଗୋଟିଏ ଆସନ ପାଇଛନ୍ତି । ତେଲାଙ୍ଗାନାରେ ମୋଟ ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୫ରେ ବିଜୟୀ ହୋଇଥିବା ବେଳେ ବିଆରଏସ ୩୯ ଆସନ, ବିଜେପି ୮ଟି ଆସନ ଓ ଏଆଇଏମଆଇଏମ ୭ଟି ଆସନରେ ବିଜୟୀ ହୋଇଛି । ସବୁ ଏଗଜିଟପୋଲର ଆକଳନକୁ ଭୁଲ ପ୍ରମାଣିତ କରି ବିଜେପି ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବୃହତ ବିଜୟ ହାସନ କରି ସରକାର ଗଢିବାକୁ ଯାଉଛି । ସେପଟେ କଂଗ୍ରେସ ହାତରୁ ୨ଟି ରାଜ୍ୟ ଛତିଶଗଡ ଓ ରାଜସ୍ଥାନରୁ କ୍ଷମତା ଡୋରି ବିଜେପି ଛଡାଇ ନେଇଛି । କେବଳ ତେଲେଙ୍ଗାନାରେ
କଂଗ୍ରେସକୁ ଶାନ୍ତ୍ୱନାମୂଳକ ବିଜୟ ମିଳିଛି ।