ଆଜି ବିଜେପିର ୧୨ ଘଣ୍ଟିଆ ବାରିପଦା ବନ୍ଦ : ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ମାଡ ମାରିଥିବା ବିଜେଡି କର୍ମୀଙ୍କୁ ଗିରଫ ଦାବି

ବନ୍ଦ ଡାକରାକୁ ବିଜେଡିର ବିରୋଧ

106

କନକ ବ୍ୟୁରୋ : ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦେଇଛି ବିଜେପି । ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ବିଜେପି କର୍ମୀଙ୍କୁ ମାଡ ମାରିଥିବା ସମସ୍ତଙ୍କୁ ଗିରଫ ଦାବି କରି ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି । ଏଥିସହ ୧୬ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ବିଜେପି । ମମିତା ମେହେରଙ୍କ ହତ୍ୟାକାଣ୍ଡରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି କରି ଆସୁଛି ବିଜେପି ।

ଅନ୍ୟପଟେ ଗତ ୨୨ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତରେ ଆସିଥିବାବେଳେ କିଛି ବିଜେପି କର୍ମୀ ନବୀନଙ୍କୁ କଳା ପତାକା ଦେଖାଇଥିଲେ । ଏହି ସମୟରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି କର୍ମୀ । ଏନେଇ ଥାନାରେ ୧୬ଜଣ ବିଜେଡି କର୍ମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲା ବିଜେପି । ବିଜେପି କର୍ମୀଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ଏପର୍ଯ୍ୟନ୍ତ ୨ଜଣଙ୍କୁ ଗିରଫ କରିଛି । କିନ୍ତୁ ଅନ୍ୟମାନଙ୍କୁ କାହିଁକି ଗିରଫ କରାଯାଇନାହିଁ ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

ବିଜେପିର ବାରିପଦା ବନ୍ଦ ଡାକରାକୁ ବିରୋଧ କରିଛି ବିଜେଡି । ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରେସମିଟ୍ କରି କହିଛନ୍ତି, ବିଜେଡିର ଜନାଭିମୁଖି କାର୍ଯ୍ୟକୁ ସହି ପାରୁନି ଭାରତୀୟ ଜନତା ପାର୍ଟି । ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ବେଶ୍ ଲୋକପ୍ରିୟତା ହାସଲ କରୁଛି । ତେଣୁ ଏହାକୁ ସହ୍ୟ କରିନପାରି ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବୋଲି ଅଭିଯୋଗ କରିଛି ଦଳ । ସେହିପରି ପେଟ୍ରୋଲ୍ ଦର ବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି, ରେଳବାଇ କ୍ଷେତ୍ରରେ ମୟୂରଭଞ୍ଜ ପ୍ରତି କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା ଭଳି ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରି କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି ବିଜେଡି । ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଘଟଣାକୁ ଖଣ୍ଡନ କରିଛି ବିଜେଡି । ଓଲଟି ବିଜେପି ମୟୂରଭଞ୍ଜ ବାହାର ଲୋକଙ୍କୁ ବାରିପଦା ଡାକି ବିଶୃଙ୍ଖଳା ସୃଷ୍ଟି କରିଥିବା ଆରୋପ ଲଗାଇଛି ଦଳ ।

ସେହିଭଳି ନିକଟରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବରଙ୍କ ଆଚରଣ, ଟିକାଦାନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଫିଙ୍ଗା ଫୋପଡ଼ାକୁ କଡ଼ା ସମାଲୋଚନା କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ତାଙ୍କ ବାରିପଦା ଗସ୍ତ ଅବସରରେ ପ୍ରାୟ ୨୪ଶହ କୋଟି ଟଙ୍କାରୁ ଊର୍ଧ୍ବ ପ୍ରକଳ୍ପ ଜିଲ୍ଲାପାଇଁ ଉତ୍ସର୍ଗ କରିଛନ୍ତି । ମାତ୍ର କେନ୍ଦ୍ର ସରକାର କେବଳ କଥା କୁହା ସରକାର ଭାବେ କାମ କରୁଛି । ୭ ବର୍ଷ ମଧ୍ୟରେ ମୟୂରଭଞ୍ଜ ପ୍ରତି କେନ୍ଦ୍ର ସରକାରଙ୍କ କଣ ଅବଦାନ ବୋଲି ଜବାବ୍ ମାଗିଛି ବିଜେଡି। ସେହିଭଳି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନକୁ ଚାରିଆଡ଼ୁ ପ୍ରଶଂସା ମିଳୁଥିବା ଦାବି କରିଛି ବିଜେଡି । ଅକ୍ସିଜେନ୍ ସିଲିଣ୍ଡର୍ ଯୋଗାଣ ହେଉ ଅବା ସ୍ମାର୍ଟ ହେଲଥ କାର୍ଡ, ସବୁ କ୍ଷେତ୍ରରେ ରାଜ୍ୟ ସରକାର ଆଗରେ ଥିବା କହିଛି ଦଳ । ବିଜେପିର ବନ୍ଦ ଡାକରାକୁ ମୟୂରଭଞ୍ଜବାସୀ ଆଦୌ ସମର୍ଥନ କରିବେ ନାହିଁ ବୋଲି ବିଜେଡି ଦାବି କରିଛି ।