ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ବିଜେପିର ପ୍ରଦର୍ଶନ । ସିସୋଦିଆଙ୍କ ଘର ଘେରିଲେ ବିଜେପି କର୍ମୀ

173

କନକ ବ୍ୟୁରୋ : ଦିଲ୍ଲୀ ସରକାରରେ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀମନ୍ତ୍ରୀ ଥିବା ମନିଷ ସିସୋଦିଆଙ୍କ ଅବକାରୀ ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ପ୍ରଦର୍ଶନ କରାଯାଇଛି । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବାବଦରେ ସିବିଆଇ ଯାଂଚ ପାଇଁ ଉପ ରାଜ୍ୟପାଳ ସୁପାରିଶ କରିବା ପରେ ଆକ୍ସନ ମୋଡକୁ ଆସିଛି ବିଜେପି । ଏନେଇ ଆଜି ଶହ ଶହ ବିଜେପି କର୍ମୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘର ଘେରାଉ କରିଛନ୍ତି ।

ଏହି କ୍ରମରେ ଦିଲ୍ଲୀ ବିଜେପି ନେତା ଆଦେଶ ଗୁପ୍ତା ମନିଷ ସିସୋଦିଆଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି କି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜ ମଦ ମାଫିଆଙ୍କୁ ଲାଭ ପହଂଚାଇବାକୁ କ୍ୟାବିନେଟର ବିନା ଆପ୍ରୁଭାଲରେ ଟଙ୍କା ଦେଇଛନ୍ତି । ଏନେଇ ଦିଲ୍ଲୀ ରାଜକୋଷରୁ ୧ ହଜାର କୋଟି ଟଙ୍କା ମଦ ମାଫିଆ ଲୁଟି ନେଇଛନ୍ତି ବୋଲି ଆଦେଶ ଗୁପ୍ତା ଅଭିଯୋଗ କରିଛନ୍ତି ।

କହିରଖୁ କି ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିରେ କିଛି ଘୋଟାଲା ହୋଇଥିବା ସନ୍ଦେହ କରିଛନ୍ତି ଦିଲ୍ଲୀ ଉପ ରାଜ୍ୟପାଳ । ଏନେଇ ପ୍ରାଥମିକ ଯାଂଚ ପରେ ଏହା ଉପରେ ସିବିଆଇ ଯାଂଚ କରାଇବାକୁ ଉପ ରାଜ୍ୟପାଳ ସିବିଆଇକୁ ସୁପାରିଶ କରିଛନ୍ତି ।