କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ତେଜୁଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ ପଛରେ ରାଜନୈତିକ ଉର୍ଦ୍ଦେଶ୍ୟ ଥିବା ବିଜେଡି ଅଭିଯୋଗ କରିବା ପରେ ଏହାର ଜବାବ ରଖିଛି ବିଜେପି । ଆଜି ବିଜେପିର ୪ ଜଣ ବିଧାୟକ ଏକାଠି ମିିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବିଜେପି ବିଧାୟକ ମୁକେଶ ମହାଲିଙ୍ଗ, ଲଲିାଟନ୍ଦୁ ବିଦ୍ୟାଧର ମହାପାତ୍ର, ସୂର୍ଯ୍ୟବଂଶୀ ସୂରଜ ଏବଂ ସନାତନ ବିଜୁଳି, ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦଳୀୟ ବିଧାୟକମାନେ ଅଭିଯୋଗ କରି କହିଛନ୍ତି- ଓଡ଼ିଶା ସରକାର ଅସହିସ୍କୃତାର ରାଜନୀତି କରୁଛନ୍ତି । ଏମିତି କି ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ଭାଷା କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏପଟେ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର, କହିଛନ୍ତି- କେନ୍ଦ୍ର ସରକାର ଆନ୍ତରିରକତା ଦେଖାଇଲେ, କୋଟିଆ ସମାଧାନ ହୋଇପାରିବ ନାହିଁ । ସେହିପରି, ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, କେନ୍ଦ୍ର ସରକାର ଯେଉଁ ରାସ୍ତା ଦେଇ କୋଟିଆ ଯାଇଛି, ସେ ରାସ୍ତା ଓଡ଼ିଶା ସରକାର ନିର୍ମାଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତରେ ଯାଇଥିବାବେଳେ, ସେଠାରେ ଆନ୍ଧ୍ର ଗୋ ବ୍ୟାକ୍ ନାରା ଦେବା ପରେ, ଚିହିଁକି ଉଠିଛି ଆନ୍ଧ୍ର ସରକାର । ଅନ୍ୟପଟେ ଏହାକୁ ନେଇ ରାଜ୍ୟରେ ବିଜେପି ବିଜେଡି ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଛି ।