କନକ ବ୍ୟୁରୋ : ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାତ୍ରୀ ଭୋଜନର ଆୟୋଜନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ଯୋଗ ଦେଇଥିଲେ ଭାରତକୁ ଆସିଥିବା ବହୁ ବିଶ୍ୱ ନେତା ଓ ପ୍ରତିନିଧି । ରାତ୍ରୀ ଭୋଜନରେ ଭାରତ ସରକାରଙ୍କ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ନେତା ବି ଯୋଗ ଦେଇଥିଲେ । ଏପରିକି ମୋଦୀଙ୍କ କଟ୍ଟର ବିରୋଧୀ ମମତା ବାନାର୍ଜୀ, ନୀତିଶ କୁମାର ବି ରାତ୍ରୀ ଭୋଜନରେ ସାମିଲ ହୋଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ନିମନ୍ତ୍ରଣ ଥାଇବି ଯୋଗ ଦେଇନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment

କେନ୍ଦ୍ରର ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭଲ ସମ୍ପର୍କ ଥାଇ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାତ୍ରୀ ଭୋଜନରେ ଯୋଗ ନଦେବାକୁ ନେଇ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇବା ସହ କଟାକ୍ଷ କରିଛନ୍ତି । କହିଛନ୍ତି, ଦୁଃଖର ବିଷୟ ରାଷ୍ଟ୍ରପତି ନିର୍ବାଚନ ସମୟରେ ଦ୍ରୌପଦୀ ମୁର୍ମୁଙ୍କୁ ନବୀନ ଭଉଣୀ ବୋଲି କହିଥିଲେ, ହେଲେ, ଏବେ ନିମନ୍ତ୍ରଣ ଥାଇ ସୁଦ୍ଧା ଡିନରପାର୍ଟିକୁ ସେ ଗଲେନି । ତେବେ ଏତେ ବଡ ବଡ ଲୋକଙ୍କ ଭିତରକୁ କାହିଁକି ଯିବି ଭାବି ବୋଧହୁଏ ସେ ଯାଇନାହାନ୍ତିି ବୋଲି କଟାକ୍ଷ କରିଛନ୍ତି ଜୟନାରାୟଣ । ଏଥିସହ ରାଜ୍ୟର ଦାରିଦ୍ର୍ୟତା, ନାରୀ ନିର୍ଯାତନା ଓ ରାଜ୍ୟର ମୁଣ୍ଡପିଛା ଆୟ କଥା ପଚାରିଲେ ନବୀନ କଣ ଉତର ଦେବେ କହି ସମାଲୋଚନା କରିଛନ୍ତି ଜୟନାରାୟଣ ।

ତେବେ ରାତ୍ରୀ ଭୋଜନରେ ନବୀନ ପଟ୍ଟନାୟକ ଯୋଗ ନଦେବା ପଛରେ ବ୍ୟକ୍ତିଗତ କିମ୍ବା ସ୍ୱାସ୍ଥ୍ୟଗତ କାରଣ ଥାଇ ପାରେ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଅନ୍ୟପଟେ ବିଜେଡି କହିଛି, ବିଜେପି ଯେଉଁ ପ୍ରତିକ୍ରିୟା ରଖିଛି ତାହା ନିନ୍ଦାଜନକ ।

ଦିଲ୍ଲୀ -୨୦ ସମ୍ମିଳନୀ ଅବସରରେ ସାରା ବିଶ୍ୱ ଦେଖିଥିଲା ଓଡିଶାର ଅସ୍ମିତା । ସମ୍ବଲପୁରୀ ନୃତ୍ୟ ପରିବେଷଣ ହେଉ କି କୋଣାର୍କ ଚକ୍ରର ସାମନାରେ ବିଶ୍ୱନେତାଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା, ସବୁଠି ଓଡିଶାର ଝଲକ ଦେଖିବାକୁ ମିଳିଥିଲା । ତଥାପି ଓଡିଶା ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କ ରାତ୍ରୀଭୋଜନକୁ କାହିଁକି ଗଲେନି, ତାହା ସ୍ପଷ୍ଟ ହୋଇନାହିଁ । ବିଜେଡି ପ୍ରେସମିଟ୍ କରିଥିଲେ ବି ପ୍ରକୃତ କାରଣ କଣ ତାହା ସ୍ପଷ୍ଟ କରିନି ।