ଆତିଶୀ ମାର୍ଲେନା ବଡ ଦାବି । କହିଲେ ଦଳରେ ସାମିଲ ହେବାକୁ ବିଜେପି ଦେଇଛି ଅଫର । ସାମିଲ ନହେଲେ ଇଡି ଗିରଫ ନେଇ ମିଳିଛି ଚେତାବନୀ

176

କନକ ବ୍ୟୁରୋ: ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶୀ ମାର୍ଲେନା । ବିଜେପି ସରକାରଙ୍କ ଉପରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ । ଆତିଶୀ କହିଛନ୍ତି ତାଙ୍କୁ ମିଳିଛି ବଡ ଅଫର । ବିଜେପିରେ ସାମିଲ ନହେଲେ ଦଳ ତାଙ୍କୁ ଇଡି ଗିରଫ ଭୟ ଦେଖାଉଥିବା ସେ କହିଛନ୍ତି । ଖୁବଶୀଘ୍ର ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ରାଘବ ଚଡ୍ଡା ଓ ତାଙ୍କୁ ଗିରଫ କରାଯିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି ।

  • ଆପ ମନ୍ତ୍ରୀ ଆତିଶୀଙ୍କ ଅଭିଯୋଗ
  • କହିଲେ ବିଜେପି ଦେଇଛି ବଡ଼ ଅଫର
  • ବିଜେପିରେ ସାମିଲ ନହେଲେ ବାନ୍ଧିବ ଇଡି
  • ୩୦ଦିନ ଭିତରେ ହେବ ବଡ଼ ହଲଚଲ

ଆତିଶୀଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେପି । ଦଳ କହିଛି ଅରବିନ୍ଦ କେଜ୍ରିୱାଲଙ୍କ ଟିମ ସମ୍ପୂର୍ଣ୍ଣଭାବେ ଦୁର୍ନୀତିରେ ବୁଡି ରହିଛି । ନିଜକୁ ଓ ଦଳକୁ ବଞ୍ଚାଇବା ପାଇଁ ଏଭଳି ମିଛ ଅଭିଯୋଗ ବିଜେପି ଉପରେ ଲଦି ଦିଆଯାଉଛି । ଅନ୍ୟପଟେ ସୋମବାର ଶୁଣାଣି ସମୟରେ କୋର୍ଟରେ କେଜ୍ରିୱାଲ କହିଥିଲେ ଯେ ମଦ ଦୁର୍ନୀତିର ଅଭିଯୁକ୍ତ ବିଜୟ ନାୟର ତାଙ୍କୁ ନୁହେଁ ଆତିଶୀ ଓ ସୌରଭଙ୍କୁ ରିପୋର୍ଟ ଦେଉଥିଲେ । ଏହି ବୟାନ ପରେ ଗିରଫ ସମ୍ଭାବନା ଥିବାରୁ ଆତିଶୀ ମନଗଢ଼ା କାହାଣୀ କହି ଭୁଆଁ ବୁଲାଉଥିବା ବିଜେପି କହିଛି ।

ସୂଚନାଯୋଗ୍ୟ ଯେ, ମଦ ଦୁର୍ନୀତି ମାମଲାରେ ପୂର୍ବରୁ ମନିଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ସଂଜୟ ସିଂ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ ହୋଇ ଜେଲରେ ଅଛନ୍ତି । ଏମାନଙ୍କ ଅନୁପସ୍ଥିତିରେ ଆମ ଆଦମୀ ପାର୍ଟି ସରକାରକୁ ସମ୍ଭାଳୁଥିବା ସୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ, ଆତିଶୀ ମାର୍ଲେନା, ରାଘବ ଚଡ୍ଡାଙ୍କ ଗିରଫ ଆଶଙ୍କା ମଧ୍ୟ ବଢ଼ୁଛି । ଏବେ ଉଠୁଛି ପ୍ରଶ୍ନ ନିର୍ବାଚନ ପୂର୍ବରୁ ଯଦି ଆପର ବରିଷ୍ଠ ମନ୍ତ୍ରୀ ଜେଲର ଚାରିକାନ୍ଥକୁ ଚାଲିଯିବେ ତେବେ କ’ଣ ହେବ ଦିଲ୍ଲୀ ସରକାରଙ୍କ ଭବିଷ୍ୟତ ଓ ଦଳର ଆଗାମୀ ଆଭିମୁଖ୍ୟ?