କର୍ଣ୍ଣାଟକରେ ବିଜୟ ପାଇଁ ବିଜେପିର ‘ୟୁପି ଫର୍ମୁଲା’, ଏହି କେନ୍ଦ୍ରମନ୍ତ୍ରୀଙ୍କ ଦିଆଗଲା ପ୍ରଭାରୀ ଦାୟିତ୍ୱ।

138

କନକ ବ୍ୟୁରୋ: କିଛି ମାସ ପରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସମସ୍ତ ଦଳ ନିଜର ନିର୍ବାଚନ ପ୍ରସ୍ତୁତିକୁ ଆରମ୍ଭ କରିଦେଇସାରିଛନ୍ତି । ରାଜ୍ୟରେ ଶାସନ କରୁଥିବା ବିଜେପି ନିର୍ବାଚନରେ ପୁଣି ବିଜୟ ହାସଲ କରିବା ପାଇଁ ନିଜର ପ୍ରୟାସ ଆରମ୍ଭ କରିଦେଇଛି । ଶନିବାର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୟୁପିର ଫର୍ମୁଲା ଆପଣେଇଛି । ପୁଣିଥରେ ଦଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦେଇଛନ୍ତି । କର୍ଣ୍ଣାଟକର ପ୍ରଭାରୀଭାବେ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ବିଜେପି ପକ୍ଷରୁ ଜାରିହୋଇଥିବା ବୟାନରେ କୁହାଯାଇଛି ଯେ, ଆଗାମୀ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳର ନିର୍ବାଚନ ପ୍ରଭାରୀ ହେବେ । ସେହିଭଳି ତାମିଲନାଡୁ ପ୍ରଦେଶ ବିଜେପି ଅଧ୍ୟକ୍ଷ ଆନ୍ନାମଲାଇ ଦଳର ସହପ୍ରଭାରୀ ହେବେ । ଏପ୍ରିଲ-ମେ ମାସରେ ଏଠାରେ ବିଧାନସଭା ନିର୍ବାଚନ ହେବା ନେଇ ଆଶା କରାଯାଉଛି । ତେଣୁ ବିଭିନ୍ନ ଦଳ ଏବେଠାରୁ ନିଜର ପ୍ରସ୍ତୁତିକୁ ଜୋରଦାର କରୁଛନ୍ତି ।

ଗତବର୍ଷ ଉତ୍ତରପ୍ରଦେଶ ନିର୍ବାଚନ ସହ ଅତୀତରେ ହୋଇଥିବା ଅନେକ ନିର୍ବାଚନରେ ଧର୍ମେନ୍ଦ୍ରଙ୍କୁ ନିର୍ବାଚନ ପ୍ରଭାର ଦାୟିତ୍ୱ ମିଳିଥିଲା । ଉତ୍ତରପ୍ରଦେଶରେ ବିଜେପି ବଡ ଅନ୍ତରରେ ବିଜୟ ହାସଲ କରିଥିଲା । ପୂର୍ବରୁ ୨୦୧୩ରେ କର୍ଣ୍ଣାଟକ, ବିହାର, ଉତ୍ତରାଖଣ୍ଡ ଏବଂ ଝାଡଖଣ୍ଡ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେହିଭଳି ୨୦୧୫ ଏବଂ ୨୦୧୮ ନିର୍ବାଚନରେ ଆସାମ ଏବଂ ମଧ୍ୟପ୍ରଦେଶରେ ସେ ବିଜେପିର ପ୍ରଭାରୀ ଥିଲେ । ତେଣୁ ଦଳ ତାଙ୍କଠାରୁ ଅଧିକ ଆଶା ରଖିଛି । ଦକ୍ଷିଣ ଭାରତର ଏହି ରାଜ୍ୟରେ ସରକାରକୁ ବଞ୍ଚାଇରଖିବା ପାଇଁ ଦଳ ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱ ଦେଇଛି ।

କର୍ଣ୍ଣାଟକ ଦକ୍ଷିଣ ଭାରତର ଏକମାତ୍ର ରାଜ୍ୟ ଯେଉଁଠାରେ ବିଜେପିର ସରକାର ଅଛି । ୨୦୧୮ ଜୁଲାଇ ମାସରେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ସ୍ଥାନରେ ଦଳ ବାସବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ପରିବର୍ତ୍ତନ କରିଥିଲା । ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ନରହିଲେ ମଧ୍ୟ ତାଙ୍କ ସ୍ଥାନ ଏବଂ ବୋମାଇଙ୍କ ଅପେକ୍ଷାକୃତ କମ କ୍ଷମତା ତାଙ୍କୁ ପୂର୍ବଭଳି ସେହି ସ୍ଥାନରେ ରଖିଛି ।